Unknown

 

 

 

ହେ ମୋର କଲମ !

ଗୋଦାବରୀଶ ମହାପାତ୍ର

 

ହଠାତ୍‌ କେତେବେଳେ ପବନରେ କାହାର ଦୁଇ ଧାଡ଼ି କବତା ଉଡ଼ି ଉଡ଼ି ଆସେ, ଅନ୍ତରରେ ବିନ୍ଧେ, ସେ ହୁଏ ଶ୍ରୋତାର ଉଡ଼ି ଉଡ଼ି ଆସେ, ଅନ୍ତରରେ ବିନ୍ଧେ, ସେ ହୁଏ ଶ୍ରୋତାର ମରମର ପ୍ରତିଚ୍ଛବି, ତାର ଆପଣାର ହୁଏ । ମଣିଷ ଚାଲିଯାଏ; କବିତା ରହିଯାଏ ଗୋଷ୍ଠୀକୁ ଆପଣାର କରିବାକୁ । କବି କିଏ କେହି ପଚାରନ୍ତି ନାହିଁ ଜୀବନର ସରଳ କ୍ରିୟା ନିଶ୍ୱାସ ପରି ଗ୍ରହଣ କରନ୍ତି କବିତାକୁ । ବିଧାତାର ପ୍ରାକୃତିକ ସୃଷ୍ଟି ପରି ଜୀବନ ରହିଥାଏ ଏହିପରି କେତେ କବିତା ।

କବି ଗୋଦାବରୀଶ ମହାପାତ୍ର ଏହି ଶ୍ରେଣୀର କବି । ତାଙ୍କର ମନୁଷ୍ୟ-ବ୍ୟକ୍ତିତ୍ୱ ତାଙ୍କ ନିଜର; ତାର ବିଶ୍ଲେଷଣରେ ଆସେ ସାମୟିକ ଘଟଣା ସହିତ ତାଙ୍କ ମନର ପ୍ରତିକ୍ରିୟାର ଫଳ । ମତବାଦ ଓ ହେତୁବାଦର ଏ ବ୍ୟକ୍ତି-ବିଶିଷ୍ଟତା ସହିତ ମୋର କୌଣସି ସମ୍ବନ୍ଧ ନାହିଁ ଏବଂ ବ୍ୟକ୍ତି କ୍ଷଣଭଙ୍ଗୁର, ସମୟ-ସ୍ରୋତରେ ବୁଦ୍‌ବୁଦ ମାତ୍ର । ମୁଁ ସମ୍ବନ୍ଧ ରଖେ କବିର ଶିଳ୍ପୀ-ବ୍ୟକ୍ତିତ୍ୱ ସହିତ, ଯେଉଁଠି ଜୀବନଧାରଣର ସଂକୀର୍ଣ୍ଣତା ଏଡ଼ି କବି ଭାବସ୍ରଷ୍ଟାପଣରେ ଅମର ପଣର ଅଧିକାରୀ । ଆଧୁନିକ ଯୁଗକବି ଗୋଦାବରୀଶଙ୍କର ସେହି ବିରାଟ ଶିଳ୍ପୀ-ବ୍ୟକ୍ତିତ୍ୱ ଆଗରେ ମୁଁ ନିର୍ବାକ୍ ହୋଇଯାଏ ଏବଂ ଭାବେ ଜୀବନ ସୁନ୍ଦର, ଜୀବନ ମହନୀୟ; କାରଣ, ବିଧାତାର ଅପୂର୍ବ ପ୍ରତିରୂପ କବିର କବିତା ଆସ୍ୱାଦନ କରିବାକୁ ସେ ସୁଯୋଗ ଦିଏ ।

କବି ଗୋଦାବରୀଶଙ୍କ ପ୍ରଧାନ ବିଶିଷ୍ଟତା ଯେ ଦୃଷ୍ଟିଭଙ୍ଗୀର ଯେଉଁ ଉଜ୍ଜ୍ୱଳ ସ୍ପଷ୍ଟତା ପାଇଁ ମନୁଷ୍ୟ ଝୁରେ, ଅଥଚ, ଅନ୍ତର୍ନିହିତ ଦୁର୍ବଳତା ଓ ଅପୂର୍ଣ୍ଣତା ହେତୁ ତା’ଠାରୁ ଅପସରି ରହେ, ତାଙ୍କର କବିତାରେ ସେହି ସ୍ପଷ୍ଟତା ପରିସ୍ଫୁଟ । ତେଣୁ ତାଙ୍କ ଆଖିରେ ଜୀବନକୁ ନୂଆ କରି ଚିହ୍ନି ଅନେକେ ଆନନ୍ଦ ପାଆନ୍ତି ଓ ତାଙ୍କର ଅନେକ କବିତା ଆପେ ଆପେ ମନେରହିଯାଏ, ବେଳକାଳକୁ ଆପଣାର ମନୋଭାବ ଆପେ ବୁଝିବାକୁ ଓ ପ୍ରକାଶ କରିବାକୁ ସାହାଯ୍ୟ କରେ । କୌଣସି କବି ବିଷୟରେ ଏତିକି କହିପାରିଲେ କବିର କବିତା ସାର୍ଥକ ବୋଲି ମଣିବାକୁ ହେବ ।

ଉଦାହରଣ ସ୍ୱରୂପ ‘ହେ ମୋର କଲମ’ କବିତାଟି ଦେଖାଯାଉ । ମୁଁ ତ ଭାବିପାରେ ନାହିଁ ମୋର ଜଣାଶୁଣା ଅନ୍ୟ ସାହିତ୍ୟରେ ଆଉ କିଏ ସାହିତ୍ୟର ଉଦ୍ଦେଶ୍ୟର ଚରମ ସତ୍ୟ ଏଭଳି ଭାବେ ପ୍ରକାଶ କରିଛନ୍ତି ବୋଲି ।

 

‘‘ତୁମେ ତ ଭୁଲିନ ଛଳାନାରେ କେବେ,

ଥକିନ ଗୁଣ୍ଡାମିରେ,

ପେଷଣ, ଶୋଷଣ, ଦୁଷଣ ଦେଇଚ

ଆଡ଼େଇ ଏକଇ ଗାରେ ।

ଛେଦନ କରିଚ ବନ୍ଧନ ଯେତେ,

ଅନ୍ଧେ ଦେଇଛ ଆଖି

କାଳ ବକ୍ଷରେ ମହା ଅକ୍ଷରେ

ପଦେ ପଦେ ଲେଖି ଲେଖି ।’’

 

ସାହିତ୍ୟିକର ଏ ଚିର-ଆକାଂକ୍ଷିତ, ଚିରକଳ୍ପିତ Charter of Rights ମୋତେ ମୁଗ୍‌ଧ କରିଥିଲା ଏବଂ ମୁଁ ଭାବିଥିଲି ଅତି ଅଳ୍ପ କଥାରେ ତାଙ୍କର ଚିରସୁଲଭ ଉପାୟରେ କବି ଗୋଦାବରୀଶ ଏ କବିତାରେ ଗତ କେତେ ବର୍ଷର ଶ୍ରେଷ୍ଠ ସମ୍ଭାର ସୃଷ୍ଟି କରିଛନ୍ତି । ତାଙ୍କର ବିଶିଷ୍ଟତା ସରଳ ଭାଷାରେ, ଭାବୋନ୍ମେଷୀ ସଚିତ୍ର ବିନ୍ୟାସରେ । ବଡ଼ ସହଜରେ ସେ ଜୀବନ୍ତ ରୂପ ସୃଷ୍ଟି କରିପାରନ୍ତି । ସେଥିପାଇଁ ଅନେକ ସମୟରେ ତାଙ୍କର କବିତା ଧ୍ୟାନର ମନ୍ତ୍ର ପରି ଶୁଭେ ଏବଂ ସାଧନପଥ ସୁଗମ କରେ-

 

‘‘କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳା

ବକ୍ଷେ ବହିଲ ନିର୍ଯାତନର ଦହନ ଜାଳା,

ନିଷ୍ପେଷିତର ଆସନ କରିଲ କୁସୁମମୟ !

ପୁଲକେ ବିତରି ସତ୍ୟ ଶାନ୍ତି କି ବରାଭୟ !!’’

(-ମାଟି ଓ ଆକାଶ ଗଢ଼ା ଅମୃତର ସନ୍ତାନ ଚିରନ୍ତନ ମହାତ୍ମା ଗାନ୍ଧି)

ଗୋଟି ଗୋଟି କରି ତାଙ୍କ କବିତାର ଅକ୍ଷୟ ଐଶ୍ୱର୍ଯ୍ୟକୁ ବିଶ୍ଲେଷଣ କଲେ ଏକ ସନ୍ଦର୍ଭ ହେବ । କିନ୍ତୁ ତାଙ୍କ ସରସ ମାଧୁରୀ ସହିତ ସମୟ - ସମୟରେ ତାଙ୍କ ଉଦ୍‌ଭଟ ଦୃଷ୍ଟିଭଙ୍ଗୀ, ନିତିଦେଖା ବିଷୟ ବା ଘଟଣା ଉପରେ ନୂଆ ଚିହ୍ନିଲା ପରି ବିସ୍ମିତ ଅର୍ଥବିନ୍ୟାସ ତାଙ୍କର ତୀକ୍ଷ୍‌ଣ ଶ୍ଲେଷୋକ୍ତି ଓ ହାସ୍ୟର ପ୍ରଦାହର ସୂଚନା ନଦେଲେ ଗୋଦାବରୀଶ - ଧ୍ୟାନ ସମ୍ପୂର୍ଣ୍ଣ ହେବନାହିଁ -

‘‘ହଠାତ୍ ଯେବେଟି ‘ଉତ୍କଳମଣି’ ଆସିବେ ଆଜି

ନୂତନ ଶବ୍ଦ ‘କିଳାପୋତେଇଟା କାନରେ ବାଜି

କିମିତି ଲାଗିବ ଝଣ୍ ଝଣ୍ ଝଣ୍, ପଚାରିଗଲେ,

‘ଅର୍ଥ କହିବି’ କିଏ ବା କହିବ ‘ଆଠଣା ଦେଲେ’ ।’

ଜୀବନ ସହିତ ସେ ଅତି ଘନିଷ୍ଠ ଭାବରେ ସଂଶ୍ଲିଷ୍ଟ, ସେ ଆଧୁନିକ ଯୁଗର ଅତି - ଆଧୁନିକ କବି । ଆଶା ଥିଲା, ଯଦି ଗୋଦାବରୀଶ କେବଳ ସାହିତ୍ୟକୁହିଁ ଅବଲମ୍ବନ କରିଥାନ୍ତେ, ତାହାହେଲେ ରାଧାନାଥ-ଯୁଗ ପରେ ହୁଏତ ସମ୍ଭବିଥାନ୍ତା କବିତାର ଗୋଦାବରୀଶ - ଯୁଗ; କିନ୍ତୁ, କବି କାହାରି ଆଶା, ଇଚ୍ଛାର ଦାସ ନୁହେଁ ଏବଂ ସେ ଯେତିକି ଦେଇଛନ୍ତି ଅନ୍ତତଃ ସେତିକି ପାଇଁ ଓଡ଼ିଆ ସାହିତ୍ୟ କୃତଜ୍ଞ ।

 

୨୮ । ୭ । ୫୧

ଗୋପୀନାଥ ମହାନ୍ତି

 

ହେ ମୋର କଲମ !

 

ହେ ମୋର କଲମ ! ଚିରବିପ୍ଳବୀ

ହେ ଚିରମୌନୀ କହ

ସାଥୀ ଥିଲ ଅବା ଜୀବନେ ଜୀବନେ

ଯୁଗେ ଯୁଗେ ଅହରହ !

ମୂଲ୍ୟ ତୁମର କେତୋଟି ପଇସା,

ତନୁ ତବ ଦୁର୍ବଳ

ଥରାଇଚ କେତେ ହୃଦମନ୍ଦିର,

ବନ୍ଧୁର ଧରାତଳ !

ଆଜି ଏତେବେଳେ ବନ୍ଦୀ କି ତୁମେ

ପ୍ରାକ୍ତନ ଉତ୍‌କଳେ ?

ଜାଗ୍ରତ କର, ଉଦ୍ୟତ କର

ଏ ମଡ଼ା ଜାତିକି ଥରେ ।

ଅତି ଆପଣାର ବନ୍ଧୁ ହେ ମମ,

ଅତି ବିଶ୍ୱାସୀ ସଖା

ତୁମରି ତୀକ୍ଷ୍‌ଣ ମୁନର ଫୁଟିଛି

କେତେ ମୋର ମନଲେଖା ।

କରି ମୁଖରିତ କେତେ ପୁରତଳ

ବରିଚ ଅମର ଯଶ

ଧରିୁ ଅଳୀକ ଧରଣୀ ବୁକୁରେ

କେତେ ସୁଧା, କେତେ ବିଷ !

ଆଜି ଏତେବେଳେ ହେ ମୋର କଲମ !

ବାରେ ଚର୍ ଚର୍ ଚାଲ

ଜାଗ୍ରତ କର, ଉଦ୍ୟତ କର,

ମୁକ୍ତି ଦୁଆର ଖୋଲ ।

ଭାଜେ କରବାଳ, ବଜ୍ର, ମୁଷଳ

କେତେ ଏଇ ମହୀତଳେ

ବାଡ଼ବ ଉଠାଇ, ଗିରି ଓଲଟଇ,

ଭାସେ ମରୁ ଧରା ଜଳେ ।

ଆସେ ଚେଙ୍ଗିସ୍, ଯାଏ ହିଟ୍‌ଲର,

ମାତେ କେତେ ମତବାଦ

ଦି’ଦିନର ଏଇ ଧରଣୀ ଦୁଆରେ

ସଭ୍ୟତା ବୁଦ୍‌ବୁଦ୍ !

ସବୁରି ଉପରେ ତୁମେ ଅଛ ଥରେ

ଦେବାକୁ ଅମର ଗାର

ଆଜି ଏତେବେଳେ ଜଡ଼ କି କଲମ,

ମୁଣ୍ଡା କି ହେଲା ଧାର !

ହେ କଲମ ମୋର, ଅତି ଆପଣାର

ଅନ୍ତର କଥା କହ-

ଦେଖିଚ କି ଏତେ ସତ୍ୟ ନାମରେ

ଛଳନା ଦୁର୍ବିସହ !

କେତେ ଅବତାରେ ଧରଣୀ ବୁକୁରେ

ଦେବତା ହୋଇଲା ନର

କାଳ ଇଙ୍ଗିତେ ଲୁଚିଗଲେ ସବୁ,

ରହିଲା ତୁମରି ଗାର !

ତୁମେ ଗୌତମ, ଶଙ୍କର, ଯୀଶୁ

ବଚନ ରଖିଚ ଧରି

ଜାଗ୍ରତ କର, ଉଦ୍ୟତ କର

ଆଉ ଥରେ ସେହିପରି ।

ତୁମେ ତ ଚାଲି ନ’ ଛଳନାରେ କେବେ,

ଥକି ନ’ ଗୁଣ୍ଡାମିରେ,

ପେଷଣ, ଶୋଷଣ, ଦୂଷଣ ଦେଇଚ

ଆଡ଼େଇ ଏକଇ ଗାରେ ।

ଛେଦନ କରିଚ ବନ୍ଧନ ଯେତେ,

ଅନ୍ଧେ ଦେଇଚ ଆଖି

କାଳ ବକ୍ଷରେ ମହା ଅକ୍ଷରେ

ପଦେ ପଦେ ଲେଖି ଲେଖି ।

ବିପ୍ଳବ ତବ ସତ୍ୟ ଶାନ୍ତି

ଶିବ-ସୁନ୍ଦର- ରସେ

ଯୁଗଯୁଗାନ୍ତ ଅନ୍ଧାର ଭେଦି

ତୁମରି ପ୍ରଦୀପ ହସେ ।

 

ସାବରମତୀର ମହାମାନବର

ଚରଣତଳେ

 

ସାବରମତୀର ମହାମାନବର ଚରଣ ତଳେ

କୋଟିଜନ ମନ ବନ୍ଦନା ଗାନ ପ୍ରବାହ ଚଳେ,

ଗଳେ ହିମାଚଳ, ଉଛୁଳେ ସାଗର, ବିନ୍ଧ୍ୟ ଲସେ

ନିବିଡ଼ ତିମିର ଭେଦି କି ତରୁଣ ତପନ ହସେ !

ଏଇ ସନାତନ ଦୃଦ୍‌ଶବତୀର ଶାନ୍ତ-ତଟେ

କେତେ ହୋମାନଳ ଜଳିଲା ମାନବ-ମୁକ୍ତିପଥେ,

ବନଗିରି ନଭ ଶୁଣିଲା ମାନବ-ମାଙ୍ଗଳିକ

ଏଇ ପଥେ ପଥେ ଘେନିଗଲେ କେତେ ଜୟ-ତିଳକ ।

ଲାଗିଲା ସମର, ଜାଗିଲେ ଦ୍ୱାରକା ଦେବତା ଥରେ,

ମାଗିଲେ ଭିକ୍ଷା କପିଳବାସ୍ତୁ ତେଜି କେ ଦୂରେ ।

ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁ

ବିତରି ଚାଲିଲେ ପରମ କାମ୍ୟ ମାନବପାଇଁ ।

ସବୁରି ଭିତରେ ଗାନ୍ଧି ହେ ! ତୁମ ବରଣ ଆଜି-

ଡକାଇ ଦଳିତ, ପରପଦାନତ ମାନବରାଜି ।

ପାଲଟିଗଲା ସେ ଦୃଶଦ୍‌ବତୀ ଏ ସାବରମତୀ

ସବୁରି ମରମେ ଜଳଇ ତୁମର ଜୀବନ-ବତି !

କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳା

ବକ୍ଷେ ବହିଲ ନିର୍ଯାତନର ଦହନ-ଜାଳା

ନିଷ୍ପେଷିତର ଆସନ କରିଲ କୁସୁମମୟ

ପୁଲକେ ବିତରି ସତ୍ୟ, ଶାନ୍ତି - କି ବାରଭୟ !

ସାବରମତୀର ତଟ-ତରୁତଳ କୁଟୀର ପାଶେ

ହେ ଦୀନବନ୍ଧୁ, ଚରଖାଚକ୍ର ଧରି ଏ ଦେଶେ

କଟୀତଟେ ଦୀନ କୌପୀନ ନିହି ହୋଇଲ ଉଭା,

ଧାଇଁଲେ ଆବାଳ-ବୃଦ୍ଧ-ବନିତା-ତରୁଣୀ-ଯୁବା ।

ପଥ ହେଲା ତବ କଣ୍ଟକମୟ, ଘୋଟିଲା ତମ

ବିଘ୍ନ ଆସିଲା ସମ୍ମୁଖେ ଭୀମ କୁଳିଶ ସମ ।

ସେ କାଳେ ହେ ଯୋଗି, କି ଅବା ମନ୍ତ୍ର ଗାଇଲ ବସି

ଚମକି ଚାହିଁଲେ ଏଇ ସୁବିପୁଳ ବିଶ୍ୱବାସୀ ।

ସୁମେରୁ କୁମେରୁ ପୂରି ଦୂବ ଦାରୁ ଶୁଣିଲେ ଡାକ

ପ୍ଳାବିଲା ତୁମରି ସତ୍ୟବଚନ ଧରଣୀଯାକ ।

ବନ୍ଧୁକ, ତୀର, ତରବାରିମୁନ ହୋଇଲା ଜଡ଼

ତବ ଅଙ୍ଗୁଳି ନିର୍ଦ୍ଦେଶେ ଜାଗି ଭୀଷଣ ଝଡ଼ ।

ଯୁଗେ ଯୁଗେ ତବ ଅବତାର ଏଇ ଧରଣୀ ପଥେ,

ଯୁଗେ ଯୁଗେ ତୁମେ ମରଣେ ମାରିଚ ବଜ୍ରାଘାତେ ।

ଆଜି ଏ ଯୁଗର ଅର୍ଘ୍ୟ ପ୍ରଦୀପ ମରମେ ଜଳେ

ସାବରମତୀର ମହାମାନବର ଚରଣତଳେ ।

 

ଆଉ ଥରେ ଯେବେ

ଉତ୍କଳମଣି ଆସିବେ !

 

ଆଉ ଥରେ ଯେବେ ଉତ୍କଳମଣି

ଆସିବେ ଦେଶେ

ସେଇପରି ଦୀନ ବିକଳ ମଳିନ

ଗରିବ ବେଶେ-

ଝରିପଡୁଥିବ ଲୋଚନଯୁଗଳୁ

ଲୋତକଧାର

ଆପଣା ବୁକୁରେ ପକାଇ ଅପର

ଦୁଃଖର ଗାର ।

ମୁକୁଳା ଚରଣେ କଣ୍ଟକ ଗଳି

ରୁଧିର ଝରି

ହେଉଥିବ ସେଇ ଗିତପଥ ସେଇ-

ରୁଧିରେ ବାରି ।

ସେଇ ସେବାରତ କରଯୁଗ ଆନେ

ଆଶିଷ ଦାନେ

ଆଉ ଥରେ ଯେବେ ଆସିବେ ଦେବତା

ଏଇ ଭୂବନେ ।

ଭାବି ଦେଖ ଭାଇ, କି କଥା ଘଟିବ

କହିବେ ଥୋକେ-

ଏଇପରି ଜଣେ ବୁଢ଼ା ଥିଲା କେବେ

ଏଇ ମୁଲକେ !

ସେ ଗୋପବନ୍ଧୁ କରୁଣାସିନ୍ଧୁ

ହଠାତ୍‌ ଦିନେ

ବଜାର-ସଉଦା କରିଯିବେ ଯେବେ

ଟିକଟ ବିନେ;

ଦୋକାନ ଦୁଆରେ ସାଗର ଜୁଆରେ

ବହୁତ ଲୋକ,

ପରିଚିତ ପରି ଜଣାଯାଉଥିବ

ସବୁରି ମୁଖ ।

ଗଳଦ୍‌ଘର୍ମ୍ମ, ଗଉର ବର୍ଣ୍ଣ-

ବୁଢ଼ାରେ ଚାହିଁ,

ଫେରାଇଦେବେ ସେ କହି- ‘ତୋର ପଡ଼ି-

ଟିକଟ ନାଇଁ’ ।

ଥରାଇ ଅଧର ଦେବେ ସେ ଉତ୍ତର-

ଏପରି ଥରେ

ଦେଖିଥିଲି ମୁହଁ ଜନସମାଗମ

ମୋର ‘ଡଭାରେ’

ସେ କଥା ବିଚାରି ଠିଆହୋଇଥିଲି

ତାଟକା ହୋଇ-

‘ଡଭାର’ ପାଲଟିଗଲା କି ଏ ମୋର

ଓଡ଼ିଶା ଭୂଇଁ !!

କାହାକୁ ନ କହି ସେଇ ନରଦେହୀ

ରାସ୍ତା ଛାଡ଼ି

ପଶିଯିବେ ଯେବେ ଲାଟସଭାଘରେ

ଆଉଁଶି ଦାଢ଼ି,

ପାଗଲା ବାବାଜି ବେଶ କିଏ ସାଜି

ଆସିଚି ବୋଲି

କିଏ ବା ଆଗୁଳି ବାଟ ତାର, ଦେବ

ଦି’ପଦ ଗାଳି ।

ଚାଲିଥିବ ସଭା- ବଚନ- ବାଗୀଶ

ଜଣକୁ ଜଣ

ଛାଡୁଥିବେ କରି ଲକ୍ଷ୍ୟ କାହାକୁ

ବାକ୍ୟବାଣ ।

ଆପଣା କୁଶଳ, ଦୈନିକ ମୂଲ,

ଗସ୍ତ ଭତ୍ତା

ବିଲ୍ ପ୍ରକଟାଇ ହେଉଥିବେ ଖାଲି

ଅମରମତା !

ଦର୍ଶକ ମେଳେ, ହାୟ ସେ ବାବାଜି

ନୟନ ବୁଜି,

କରିବେ ଭାଳେଣି- କି ଥିଲା ଏ ଦେଶ

କି ହେଲା ଆଜି !!

ହାୟ, ଏତେବେଳେ ଉତ୍କଳମଣି

ଆସିବେ ଯେବେ

ସହର ଛାଡ଼ି ସେ ଭାଇ ଦେଖିବାକୁ

ଗାଆଁକୁ ଯିବେ ।

ସ୍ୱରାଜ ନାମରେ ଲାଗିଚି ଦେଖିବେ

ହଟ୍ଟଗୋଳ,

ତରକାରି ବିନା ଖାଇଲାଣି କିଏ

କଇଁଆ ଝୋଳ ।

କଇଠ କଷିର ଦାମ୍ ଚାରିଅଣା,

ନମିଳେ ପୁଣି,

ଜଣେ ଯାଏ ଆନ ବିଲବାଡ଼ିଯାକ

ବିହନ ବୁଣି !

ଯୁଆଡ଼େ ଦେଖିବ ଅଫିସର ଖାଲି

ଗାଆଁକୁ ଗାଆଁ

ଗୋରୁ-ଦେବତାର ଠୁଙ୍ଗୀ ଦିଶଇ

ଛତୁଆ ଘାଆ ।

ରାମ ଜେନା, ଦାମ ରଥ, ହରି ସାହୁ

କଜିଆ କରି

କିଏ କହେ କାହା ବିଲ ନେଇଯିବ

କାହାକୁ ଧରି !!

ହଠାତ୍ ଯେବେଟି ଉତ୍କଳମଣି

ଆସିବେ ଆଜି

ନୂତନ ଶବ୍ଦ ‘କିଳାପୋତେଇ’ ଟା

କାନରେ ବାଜି,

କିମିତି ଲାଗିବ ଝଣ୍ ଝଣ୍ ଝଣ୍-

ପଚାରି ଗଲେ

‘‘ଅର୍ଥ କହିବି’’ କିଏ ବା କହିବ-

‘‘ଆଠଣା ଦେଲେ !’’

ପରିଚୟ ଯେବେ ମାଗିବେ କାହାର

‘ଦାଶ ଆପଣେ’

କିଏ ସେ କହିବ ‘‘ସାମ୍ୟବାଦୀ’’ ମୁଁ

ଏଠାରେ ଜଣେ ।

କିଏ ବା କହିବ ‘‘କମ୍ୟୁନିଷ୍ଟ’’-

କହିବ କିଏ,

‘‘ଏଇ ଇଲାକାର ପରିଚାଳକ ମୁଁ

ଏମ୍. ଏଲ୍. ଏ. ।

ଯେତେ କିରାସିନି, ଧାନ ଓ ଚାଉଳ,

ହେଙ୍ଗୁ, ଜିରା

ମୋହରି କଲମ ଗାରକେ ମିଳଇ

ଏଇଠି ପରା !’’

ବାଟ ଭୁଲି ଯେବେ ଉତ୍କଳମଣି

ମହାନୁଭବ

ଦେଖିବାକୁ ଯିବେ ‘ଦୁଦୁମା’ କହିବେ-

ହେ ମହତାବ !

କି ଭଳି ଆସନେ ବସି ତୁମେ କଲ

ଏଭଳି କାମ

ତୁମ ଇତିହାସ ତୁମରେ ଦେବଟି

ଏ ବଦନାମ !!

ମାନ ଅପମାନେ ସିଂଭୂମେ ଯେବେ

କରିବେ ଗତି

ବିହାରୀ କହିବେ ନାକ ଟେକି, ଏଟା

ଓଡ଼ିଆ ଜାତି !

ଷଢ଼େଇକଳାରେ ‘ପଳା ରେ’ ‘ପଳା ରେ’

ପଡ଼ିବ ହୁରି,

ତାଟକା ହୋଇବେ ସେ ଗୋପବନ୍ଧୁ

ଦେଶଟା ବୁଲି ।

କହିବେ ଶେଷରେ - ପାଷାଣ ହୋଇ ମୁଁ

ସାଧିବି ଯୋଗ-

କିପରି ଛାଡ଼ିବ ଏ ମହା ଜାତିର

ଏ ମୂଢ଼ ରୋଗ !

 

ବନ୍ୟାଞ୍ଚଳର ନିମନ୍ତ୍ରଣ

 

ପାଦ ଓଦା କର, ପାଦ ଓଦା କର,

ନାହିଁ ଯେ ଶୁଖିଲା ଥାନ

ବହୁଦୂରୁ ତୁମେ ଆସିଚ ବନ୍ଧୁ ଦେଖି ଆମ ହଇରାଣ

କୋଟ୍-ସୁଟ୍ କାଢ଼ି, ବୁଟ୍ ଦିଅ ଖୋଲି

ଏଇ ଯେ ଆସଇ ମାଡ଼ି ନଈବଢ଼ି-

ଏହାରି ଭିତରେ ସବୁ ଯାଏ ବୁଡ଼ି ସଭ୍ୟତା ସନମାନ

ପଙ୍କେ ପରଶି ପଦ-ପଙ୍କଜ କର ଆଜି ଅଭିଯାନ ।

ଚରଣ ପଖାଳ, ହାତ ଓଦା କର, କର ହେ ସନ୍ତରଣ

ମରଣର ଏଇ ବୈତରଣୀରେ ଉଠେ ତରଙ୍ଗମାନ,

ଶଙ୍କିତ କର ଅନ୍ତର କି ହେ ?

ବନ୍ଧୁ ! କି ଛବି ଯନ୍ତ୍ରଣା ଦିଏ ?

ମନ୍ତ୍ରଣା କରି ଆସିଚ ପରା ହେ ତୋଳିବ ମୁହ୍ୟମାନ

ନ କରି ପୃଷ୍ଠ କର ଆକଣ୍ଠ ଏଇ ହଳାହକ ପାନ ।

ପାଦ ଓଦା କର, ହାତ ଓଦା କର,

ଦେଖ ହେ ଚକ୍ଷୁଷ୍ମାନ

ଏଇ ଯେ ସାଗର ଅତି ସୁଗଭୀର, ଅତି ପବିତ୍ର ଥାନ ।

 

ଧାନ ମୁଗ ବିରି ଯା’ କୋଳୁ ଉଛୁଳି

ମଣି-ମୁକ୍ତାରେ ପଡୁଥିଲା ଝଳି

ଅତଳଗର୍ଭେ ଖୋଜିବାକୁ ଯେବେ ମଣ ଆପେ ଅଭାଜନ

ଫେରିବା ଆଗରୁ ମଥା ନତ କର, ଗାଅ ଲଜ୍ଜାର ଗାନ ।

ପାଦ ଓଦା କର, ଶ୍ରୀକର ପଖାଳ, କର ଆଜି ଏଥି ସ୍ନାନ

ଯେ ଭୂଇଁ ଆଦରି ମରଣବରଣ କଲେଟି ଲକ୍ଷ ଜନ !

ପତିତ-ତାରଣ-ପତାକା-ଧାରଣ,

ବୋଲାଉଛ ପରା ଦୁଃଖ-ନିବାରଣ,

କଲ ଅକାରଣ ଆସିବା କାରଣ- ଏଇ କି ଆସ୍ଫାଳନ

ବୋଲାଅ ବନ୍ଧୁ କରୁଣାସିନ୍ଧୁ ? ନୀରସ ବିନ୍ଦୁହୀନ !!

ପାଦ ଓଦା କର, ହାତ ଓଦା କର,

ଗାଅ ଆଜି ସେଇ ଗାନ

‘ଉତ୍‌କଳମଣି’ କରିଥିଲେ ଯହିଁ ଆକୁଳେ ଅଶ୍ରୁସ୍ନାନ ।

ଆହେ ଭୋଟ-ନାଟ-ଲମ୍ପଟ-ଚାଟ,

ଖୋଲ ଆଖି, ଦେଖ ଏ ମରଣ ହାଟ,

ଶିଶୁ କଙ୍କାଳ, ଯୁବା କଙ୍କାଳ,- ନରକଙ୍କାଳମାନ

ତନୁ କମ୍ପିତ, ଚିତ୍ତ ଶଙ୍କିତ, ଧନ-ସମ୍ପଦ-ହୀନ !

ପାଦ ଓଦା କର, ହାତ ଓଦା କର,

ମଡ଼ା ଡକେ ଘନ ଘନ

ଜୀବନ ମରଣ ମଝିରେ ଶରଣ ମାଗେ ଦୋଦୁଲ୍ୟମାନ ।

ଆଭିଜାତ୍ୟର ଗୌରବ ତଳେ

ଏଇ ଦେଖ ଦୂରେ ଚିତାନଳ ଜଳେ,

ପଛଘୁଞ୍ଚାରେ ଫେରିଲେ ବନ୍ଧୁ ଥରିବ ସିଂହାସନ

ନ କରି ପୃଷ୍ଠ, କର ଆକଣ୍ଠ ଏଇ ହଳାହଳ ପାନ ।

 

ମୁକୁଟର ପରାଜୟ

 

ପାଷାଣ-ଯୁଗର ଗଡ଼ଜାତ ଗଡ଼ ବିଳାସ-ବର ତଳ

କନ୍ଧ କିରାତ କୁଟୀର ବନ୍ଧ ହେଲା ଆଜି ସମତଳ ।

ପତିତ ତାପିତ ଦୀନ ପଦାନତ ଆହତ ଯାତ୍ରୀ ଶୁଣ-

ବର୍ବରତାର ଚରମ ସମାଧି ହେଲା ଏଠି ସମାପନ ।

ଗିରିକନ୍ଦରରେ, ଦେବମନ୍ଦିରେ, ଘନ ଅନ୍ଧାରେ କହ:

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପରାଜୟ !

ଗଗନଚୁମ୍ବୀ ଗିରି ତରୁ ମେଳେ ଜଟିଳ ଲତିକା ଦଳେ

କହ, ଏଇ ଆସେ ପ୍ରଥମ ସୂର୍ଯ୍ୟ ଉଜ୍ଜ୍ୱଳ କରଜାଳେ ।

ପାନ କର ନବ ପୁଲକ ମଦିରା, ଫୁଲେ ବନ୍ଦନା କର

ନିଷ୍ପେଷିତର ଅବଶେଷ ଆହେ ସନ୍ତାନ ମାନବର ।

ଦେବମନ୍ଦିରେ, ଘନ ଅନ୍ଧାରେ, ଗିରିକନ୍ଦରେ କହ :

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପରାଜୟ !

 

ଶତ ବର୍ଷର ଥିଲା ଏଠି ଯେତେ ନବର ଚନ୍ଦ୍ରଶାଳ

ଥିଲା ଶତ ଶତ ବିହାର-ବାଟିକା, କାମିନୀ-ହଂସପୁର,

ପାଟପ୍ରାଙ୍ଗଣ, ପାଟମହାଦେଈ,

ପାଟଜେମା, ପାଟହାତୀ-

ଏ ‘ନାମ-ସମାଧି’ ହେଲା ଏଠି ଆଜି,

ଲୁଚିଗଲା ପାଟଛତି ।

ଘନ ଅନ୍ଧାରେ, ଗିରିକନ୍ଦରେ, ଦେବମନ୍ଦିର କହ:

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପରାଜୟ ।

ଲୁଚିଲା, ‘ମଣୋହି’ ‘ପହୁଡ଼’ ଏଠାରେ,

ଇତିହାସେ ହେବ ଲେଖା

ପଛଘୁଞ୍ଚାରେ ‘ଛାମୁ’ ଗଲେ ଛାଡ଼ି,

‘ବିଜେହେବେ’ ନାହିଁ ଦେଖା ।

ଗଡ଼ଜାତ ହେଲା ମୋଗଲବନ୍ଦୀ

ଜାଗି ପ୍ରଜାପରିଷଦେ,

ମସ୍ତକେ କର ଅବନତ ଭାଇ ମହା-ଉତ୍କଳ ପଦେ ।

ଗିରିକନ୍ଦରେ, ଦେବମନ୍ଦିରେ, ଘନ ଅନ୍ଧାରେ କହ:

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପାରଜୟ ।

ଅପଗତ ଆଜି ଘୋର ଘନାଗମ, ଶାନ୍ତି ଏ ଉପଗତ,

ଶବର, କନ୍ଧ, ବ୍ରାହ୍ମଣ, ହୋ, କରଣ, ଖଣ୍ଡାୟତ,

ପୁଲକ ରଙ୍ଗେ ଧରି ତ୍ରିରଙ୍ଗେ ଉତ୍ସବ ରଚ ହସି

ଉନ୍ନତ କର ଅବନତ ଶିର ମହାଉତ୍କଳେ ବସି ।

ଦେବମନ୍ଦିରେ, ଗିରିକନ୍ଦରେ, ଘନ ଅନ୍ଧାରେ କହ:

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପରାଜୟ !

ମହା ଉତ୍କଳେ ଗଡ଼ଜାତ ଥାନେ

ହୋଇଲେଣି ଏବେ ଠିଆ

ପଚିଶିଟି ରଜା- ପଚିଶି ବିରଳା,

ପଚିଶିଟି ଯାଯୋଡ଼ିଆ ।

ରଜା ଗଲେ, ଏବେ ପୁଞ୍ଜିପତିର

କୁଞ୍ଜେ ବାଜିଲା ବୀଣା

ରାଜନୀତି ହାଟ-ବଜାର ଚାଲିବ

ରାଜନୀତି ବିକାକିଣା ।

ଦେବମନ୍ଦିର, ଗିରିକନ୍ଦରେ,

ଘନ ଅନ୍ଧାରେ କହ:

ହେଲା ଏତେକାଳେ କୌପୀନପାଖେ

ମୁକୁଟର ପରାଜୟ !

କୌପୀନ ଆଉ ମୁକୁଟ ମଝିରେ

ବିରାଟ ଯେ ବ୍ୟବଧାନ

କହେ କୌପୀନ ଗଲା ଏ ମୁକୁଟ

ଛାଡ଼ିଦେଇ ତାର ଥାନ

ସେ ଥାନ ଦଖଲ କରିବା ପାଇଁକି

ସମର ଲାଗିବ କାଲି

ସାମ୍ୟବାଦର ଶଙ୍ଖ ବାଜଇ ସମତା ଆଣିବ ବୋଲି ।

ଗିରିକନ୍ଦରେ, ଦେବମନ୍ଦିରେ, ଘନ ଅନ୍ଧାରେ କହ :

କରିବାକୁ ହେବ ଆହୁରି ସମର ଦୁର୍ଦ୍ଦମ ଭୟାବହ !!

 

ପେଜ

 

ନିବଦ୍ଧ ଯୌବନ ସମ ରୂପ ଥଲଥଲ

ହେ ତଣ୍ଡୁଳରସ,

ସ୍ନିଗ୍‌ଧ ଶାନ୍ତ ସୁକୋମଳ ଚିକ୍‌କଣ ଚପଳ

ତୁମରି ପରଶ !

ତୁମରି ଉଜ୍ଜ୍ୱଳ କାନ୍ତି, ହେ ଅବହେଳିତ;

ହେ ନିର୍ଯାସ-ସାର

ଏତେ କାଳ ପରେ ଆଜି ଧନିକ ଦୁଆରେ

ହେଲା ଅଭିସାର ।

ଜୀବନର ଅନ୍ଧକାରେ ଆଦରି ତୁମରେ

ଭାଗ୍ୟହୀନ ଜନ

ମଣୁଥିଲା ଭାଗ୍ୟବାନ, କରୁଥିଲା ବସି

ଅଶ୍ରୁ ବିସର୍ଜନ !

ଶାନ୍ତିର ଆଧାରରୂପେ ଦେଇ ଆଶୀର୍ବାଦ

ରଖିଛ ବଞ୍ଚାଇ,

ଆଜି ଶତ କଣ୍ଠେ ଶୁଣ ତୁମରି ମହିମା

ନର ଉଠେ ଗାଇ ।

 

କଣ୍ଟ୍ରୋଲ

 

ଦିନକ ଚବିଶି ଘଣ୍ଟା, ଦୁଃଖ ଅଗଣନ,

ବୁଝିପାରୁନାଇଁ

କା ଲାଗି କାନ୍ଦିବି କେତେ ଘଣ୍ଟା ବସି ଘରେ

ହେ ଜଗତସାଇଁ !

ବେମାର ପଡ଼ିଚି ପିଲା, ବିକଳ ପରାଣ,

ପ୍ରଣୟିନୀ କହେ-

ବାଲିରେ ମିଶିଚି ମକା, କାଙ୍ଗୁ ଚୁନା ଖାଲି,

ପଥି କେହ୍ନେ ଦିଏ ?

ପଥି ଦେଖି ଦୁଃଖମନେ ନ ବସୁ ନିମିଷେ,

ଶୁଣିଲି ଖବରେ-

ମଲେ ଦୁଇ ଲକ୍ଷ ପିଲା ପଶ୍ଚିମ ପଞ୍ଜାବେ

ଗୁଣ୍ଡା ଅତ୍ୟାଚାରେ ।

କିବା ତାର ପ୍ରତିକାର ? ଭାଳୁ ଭାଳୁ ବସି

କହିଲା ଚାକର-

ସାତପା’ ଚାଉଳ ଦେଲା କଣ୍ଟୋଲ ଦୋକାନୀ

ଏଇ ଟଙ୍କାକର !

ଟଙ୍କାକର ଚାଉଳ ଏ ! ଅର୍ଦ୍ଧାଶନ ଯୋଗ !!

ମରିଗଲା ଭୋକ,

ଏକାଳେ ଆସିଲେ ମାଗି ଗ୍ରାମସେବା ପାଇଁ

ଚାନ୍ଦ ଦଶ ଲୋକ ।

ଅଣ୍ଟାରୁ ପାକେଟେ ହାତ, ପାକେଟରୁ ବ୍ୟାଗ୍-

କର୍ମୀ ଗଲେ ଜାଣି

ପଛରୁ ଶୁଣିଲି, ଦେଲା ଗଉଡ଼ ଯେ କ୍ଷୀର

ତିନି-ପାଆ ପାଣି ।

କାହାରେ କରିବି ଚିନ୍ତା, ମନ ଗଲା ମରି

ଲଜ୍ଜା ଆଉ ଦୁଃଖେ

କର୍ମୀ, ଚାନ୍ଦା, କ୍ଷୀର, ପାଣି ନ ପାରିଲି ଜାଣି

କେ’ ବଡ଼ ଭୂଲୋକେ ?

ବାତାହତ ଜନ ପ୍ରାଏ ନ ଉଠୁ ନ ଉଠୁ,

ଦାଣ୍ଡଦ୍ୱାରେ କିଏ

ଆମ ଗାଁ ସଦେଇ ଜେନା ଡାକ ଦେଲା ଆସି-

ବାବୁ ଅଛ କି ହେ ?

ଗୋଛାକୁ ସିଉକେ ଯେବେ ଦେବ ନାହିଁ ବାବୁ,

ଦେବିନାଇଁ ଘାସ,

ସେ ଦିନ କରିଲେ ଜାରି ଆମ ସରକାର

‘କଳା ଅର୍ଡିନାନସ୍’!

କରିବି କି ଦୁଃଖ ତହିଁ, ମରିବି ଲାଜରେ,

ଭାଳିଲି ଭାଳିଲି

ଆୟୁଷ ମୋ ଥିଲା ଟାଣ ସେ ଦିନ ଆଦଉଁ

ମରି ନ ପାରିଲି ।

କା’ ପାଇଁ କରିବି କେତେ କାଳ ଦୁଃଖ- ଆହା,

ବସି ଭାଳୁ ଭାଳୁ

ଡାକଦେଲା ବୁଲାବିକା - ଟଙ୍କାକୁ ଦି’ବିଶା

ନିଅ ଶଙ୍ଖସାରୁ ।

କିଣିବି କି ସାରୁ ଅବା ଛାଡ଼ିବି ଆଳୁ ମୁଁ

ନ ପାରିଲି ବୁଝି-

ଭୀଷ୍ମ ଅବା ଶରଶଯ୍ୟା କରିଥିଲେ

ମୋହପରି ଆଖି ବୁଜି ।

ଘରେ ନାଇଁ କିରାସିନି, ବୋତଲ ଦି’ଟଙ୍କା,

ପୂଜାରୀ ବଖାଣେ,

ଶାଶୁ ଅତ୍ୟାଚାରେ ମଲା କାହା ସାନ ବୋହୂ

ବାଡ଼ିଆଡ଼େ ତେଣେ !

ଏ କଣ୍ଟୋଲ-ଯୁଗେ ପ୍ରଭୁ, କର ହେ କଣ୍ଟ୍ରୋଲ

ଦୁଃଖ ଶୋକ ଯେତେ

କାହା ପାଇଁ ହେବ ସଭା, କା’ପାଇଁ ପ୍ରସ୍ତାବ,

କା’ ପାଇଁ ଏକାନ୍ତେ ।

କରିବି ପ୍ରାର୍ଥନା; କାହା-ଲାଗି ଲୁହା ଢାଳି,

କା’ ଲାଗି ସଭାରେ

ଭାଷଣ ଦେବି ମୁଁ ବୀର ପରି ଠିଆହୋଇ

ଲାଟସଭାଘରେ !

କେଉଁ ଦୁଃଖ ଘଣ୍ଟାକର, ମିନିଟ୍‌କର କେ’

କେବା ଦି’ଘଣ୍ଟାର

ହେ ଜଗତ ସାଇଁ, କହ ପୁନର୍ଗଠନରେ

ଯୁଗ ଯୁଦ୍ଧୋତ୍ତର ।

 

ମିସ୍ ଓଡ଼ିଶା – ୧୯୪୮

 

ଲାଟ ସଭା ଘରେ ବସେ ସୁନ୍ଦରୀ ଓଡ଼ିଶା

ଲଜ୍ଜିତ ବଦନେ

ସଜ୍ଜିତ ପରିଧାନେ ନିମୀଳିତ ନେତ୍ରେ

ସୁଶ୍ରୁତ ଶୋଧନେ ।

ନିର୍ବାକ ମନୋହର ଅଙ୍ଗ ତା ବିକଳ-

ବାତାହତ କଦଳୀ !

ଥରେ ଥରେ ଯାଉଚି ତା ଶିଥିଳିତ ଅଙ୍ଗ-

ରଙ୍ଗଟା ବଦଳି ।

‘ଫୋକ୍‌ସିଂ’ ଚାରିଆଡୁ ତିନିକୋଡ଼ି ସଭ୍ୟ

ବଙ୍କିମ ଗ୍ରୀବାରେ

ବିଭୋଳିତ ବିଲୋକନେ ବକ୍ତିମା ଗାୟନେ

କିବା ମନ ଲୋଭାରେ !

ଜଗେ ଦରଓ୍ୟାନ ପଥ ଜଗେ ଅଡିନାନ୍‌ସ,

ଭିତରେ ତା ‘ଷ୍ଟୁଡ଼ିଓ’

ମିସ୍ ଓଡ଼ିଶାର କାନେ ପଶି ପାରେ ନାଇଁ ତ

କମ୍ରେଡ଼ - ଭୋ -ଭୋ - ।

ପବ୍‌ଲିସିଟିର ବାଜେ ଡାକବାଜି ଯନ୍ତ୍ର-

ଶୁଣ ‘ପ୍ରଜାତନ୍ତ୍ର’ !

ଉତ୍କଳ ପାରାବାର ମନ୍ଥନ ଅନ୍ତେ

ଏ ଯେ ସୁଧାପାତ୍ର !!

ଏତ ଦେବକୁଳ କୂଟ ସୁରାସୁର ସମରେ,

ସାରଥି ତା’ କୃଷ୍ଣ-

ପାନକର ସେ ପୀୟୁଷ ହେ ସିନେମା-ଯାତ୍ରୀ

ରହିଚ ସତୃଷ୍ଣ ।

ଲାଟସଭା ଘରେ ଚାଲେ ଛାୟା-ଛବି ଯୋଜନା,

ସେ କୁମାରୀ ଓଡ଼ିଶା

ମୁଖେ ତାର ଘଷିଦିଏ ‘ଫେସ୍‌ପାଉଡର’ କେ

କରିବାକୁ ଫର୍ଚା ।

ଛୁଇଁ ତାର ସୁବଳିତ ସୁଗଠିତ ଅଙ୍ଗ

ଉତାରେ କେ ଖଦଡ଼,

ଚିମିନିରୁ ଉଠେ ଧୂଆଁ ଏଇ ଚଉଦୁଆରେ-

କହି କରେ ଆଦର !

ନାହିଁ ଏଥି ଦୁଃଖ ଶୋକ କଣ୍ଟୋଲ ବୋବାଳି,

ନାହିଁ ଏଥି ଅଶ୍ରୁ,

ନାହିଁ ତ ‘ବେକାର’ ‘ସାଥୀ’ ‘କୁଲି’ ‘ମଜଦୁର’ ବା

‘ନିଶ’ ଆଉ ‘ଶ୍ମଶ୍ରୁ’ ।

ସାଲ ଅଠଚାଳିଶିର ବନ୍ଦନା ଘେନ ଗୋ

ମୋର ମିସ୍ ଓଡ଼ିଶା,

ଟିକିଟ କାଟି ମୁଁ ଅଛି ଫାଟକର ଏ ପଟେ

ଆଗୋ ଅର୍ଡ଼ିନାନ୍‌ସା !

ଡ୍ରଇଙ୍ଗ୍ ରୁମ୍‌ରେ ତୁମେ ହୁଅ ହର୍କତ ଗୋ,

ଚାବି ନାହିଁ ହାତରେ,

ତୁମ କାନି ତଳେ କେତେ ବିଶ୍ରାମ ନେବାକୁ

ଡାକିଲେଣି କାତରେ ।

ତୁମ ନାମେ ବିକାଯାଏ କଦଳୀର ମଞ୍ଜା,

ରୋହି ଚାହେଁ ବଜାରେ,

ତୁମ ନାମେ କିଏ କରେ କେତେ ଅଭିନୟ ଗୋ,

ମାସେ ଦେଢ଼ ହଜାର !

 

ପଶୁ ଓ ମଣିଷ

 

ଓଡ଼ିଶାର ବଣ-ପାହାଡ଼େ ଲାଗିଚି ତୁମୁଳ ଗଣ୍ଡଗୋଳ,

ଧର୍ମଘଟର ନୋଟିସ ଦେଲେଣି ଶ୍ୱାପଦ ଜନ୍ତୁକୁଳ ।

ହରିଣ, ମାଙ୍କଡ଼, ହସ୍ତୀ, ନକୁଳ,

ବ୍ୟାଘ୍ର କଲେଣି ପାଟି:

ଭୟ ନାହିଁ ଆଉ ସହିବାକୁ ଗୁଳି,

ବନ୍ଧୁକ, ତୀର, ଲାଠି ।

ଚିଡ଼ିଆଖାନାରେ ବନ୍ଦୀ ହେବାରେ

ଲଜ୍ଜା ନାଇଁ ରେ ଆଉ,

ଭାରତ ସ୍ୱାଧୀନ, ଆମେ ପରାଧୀନ,

ଗଲେ ଏ ପରାଣ ଯାଉ ।

ଅଗନାଅଗନି ଘୋର ବନସ୍ତେ ମିଳି ପଶୁ ଦଳେ ଦଳେ

କଲେଣି ବିଚାର ନର ଅନାଚାର

ବେଶୀ ଦିନ ନାହିଁ ଚଳେ ।

ପାଣି ଖାଇ ଯାଇ ପାଣିତୋଠେ ଥାଇ

ମିରିଗରେ ଡାକେ ବାଘ-

ଏ ପଶୁ-ବିଶ୍ୱ-ମଙ୍ଗଳ ଲାଗି ଛାଡ଼ିଲି ଆଜିଠୁ ରାଗ ।

 

ମର୍କଟେ ହେରି ଭଲ୍ଲୁକ କହେ-

ନଖ ମୁଁ ଦେଲିଣି କାଟି

ଭାରତ ସ୍ୱାଧୀନ, ଆମେ ପରାଧୀନ,

କା’ରେ ନ ମାରିବି ଚାଟି ।

ଦୂର ମେଘାସନେ ଘୋର ଅରଣ୍ୟେ

ଏ ସଭା ବସିଚି ଜାଣ,

ବିଚାର କରିବେ ମୁକ୍ତ ହେବାକୁ

ପଶୁ ଯେତେ ପରାଧୀନ ।

ବାଘ ମହାବଳ ସଭାପତି ତାର,

ହାତୀ ତା’ ସେକ୍ରେଟେରୀ,

ସର୍ପ, ମାଙ୍କଡ଼, ହରିଣ, ନକୁଳ ଦର୍ଶକ ଯେତେ ଖାଲି ।

ଗର୍ଜନ କରି ସଭାପତି କହେ ଭାଷଣ ଉଚ୍ଚେ ଦେଇ-

ଭାରତ ସ୍ୱାଧୀନ, ଆମେ ପରାଧୀନ !-

ଆଉ ବେଶୀ ଦିନ ନାହିଁ ।

ହେ ମୋର ବଣର ବନ୍ଧୁ ଶ୍ୱାପଦ,

ହେ ମୋର ଜନ୍ତୁଦଳ,

ଡାକରା ଆସିଚି ଆଜି ଏତେବେଳେ

ଦେଖାଅ ଆପଣା ବଳ ।

 

 

ଯୁଗ-ଯୁଗଧରି ‘ପଶୁଜାତି’ ବୋଲି

ଦୁର୍ନାମ ଥିଲେ ବହି

ନଗରେ, ଗ୍ରାମରେ, ପଲ୍ଲୀ ପଦାରେ

ଘୋର ଅପମାନ ସହି ।

ଏତେ କାଳ ଭାଇ ! ‘ପଶୁଜାତି’ କହି

ଆମକୁ ରଖିଲେ ନର,

ଆମରି ବୃତ୍ତି ଆଚରି ଏବେ ସେ

ହେଲେଣି ଆମରି ଦଳ ।

ଜାଣିଚ କି ଭାଇ ବିବର୍ତ୍ତନରେ

ନରର ଜନକ ପଶୁ,

ଭାରତ ସ୍ୱାଧୀନ ଆଜି ଯେତେବେଳେ

ଆମ ସ୍ୱାଧୀନତା ଆସୁ ।

ମାନବ-ଧର୍ମ ଭୁଲିଚି ମାନବ,

କରିଚି ପଶୁକୁ ଗତି,

ହିଂସା ନୀତିରେ, ଘାତକ ରୀତିରେ

ପଶୁରେ ଗଲାଣି ଜିତି ।

ଆମେ କରୁଥିଲେ ଭୋକରେ ହତ୍ୟା,

ଶୋଷରେ ରକ୍ତ ପାନ,

ମଣିଷ କଣ୍ଠେ ଶୁଣ ପଶୁକୁଳ ‘କଳା-ବଜାର’ର ଗାନ !

 

ପଶୁ ଓ ମଣିଷ ସବୁ ତ ସମାନ

ଏ ନବ ଯୁଗରେ ଭାଇ,

ମଣିଷ ହେଲେଣି ପ୍ରଣୟ – ପ୍ରାର୍ଥୀ

ଆପଣା ଭଉଣୀଠାଇଁ ।

ଆମେ ତ ମାରିନେ ଦୁହିତା, ତନୟ,

ସ୍ୱଜାତି ଉଦର ତାପେ

ଧ୍ୱଂସ କରିନେ ରାଜ୍ୟ - ଜୟରେ ଆମେ

ଆମ ମାଆ - ବାପେ ।

ବାସ ପରିଧାନ ଆମର ନ ଥିଲା,

ଏକଥା ମାନିବା ସତ,

ବସନ ଅଭାବେ ମଣିଷ ହେଲାଣି

ଛାଡ଼ି ସେ ସଭ୍ୟପଥ !

ଆମେ କି ପାରିବା ନାଇଁ ପଶୁକୁଳ;

କରିଲେ ସତ୍ୟାଗ୍ରହ ?

ଆମେ କି ଭାଙ୍ଗି ପାରିବା ନାହିଁ ହେ

ପ୍ରସ୍ତର କାରାଗୃହ ?

ମଣିଷ ଆମକୁ ଶିଖାଇ ଦେଇଚି

ଆଇନଭଙ୍ଗ ନୀତି,

ଧର୍ମ - ନାମରେ ଚୋରି, ନାରୀ, ଦଗା,

ଛଳନା, ମଦ୍ୟ - ପ୍ରୀତି ।

ତେଣୁ ଆଜି ଭାଇ, ସ୍ୱାଧୀନତା-ନାମେ

ପୁଲକି ଉଠଇ ଛାତି,

ଜୟ ପଶୁକୁଳ, ଜନ୍ତୁ, ଶ୍ୱାପଦ

ସମାନ ମଣିଷ ଜାତି ।

 

ଚାନ୍ଦା

 

ଆହେ ଭଗବାନ ! ତୁମେ ଅଛ କି ନ ଅଛ

କିଛି ଜଣାପଡୁନାହିଁ ଚାହିଁ ଆଗ ପଛ ।

ତଳେ ବା ଉପରେ ତୁମେ ଅଥବା ଅନ୍ତରେ

କାହିଁ ଶୁଣୁ ନାହିଁ ବାରେ ଡାକିଲେ କାତରେ ।

ଘୋର ଏ କଣ୍ଟ୍ରୋଲ - କାଳ ଅତି ଦୁଃଖମୟ

ଶୁଭେ ମୋର ଚଉଦିଗେ ଖାଲି ‘‘ଚାନ୍ଦା ଦିଅ’’ ।

ଉଷା - ପ୍ରଦୋଷରେ ‘ଚାନ୍ଦା’, ‘ଚାନ୍ଦ’ ଦ୍ୱିପ୍ରହରେ

‘ଚାନ୍ଦା’ ଚନ୍ଦ୍ର - ରଜନୀରେ, ଆଲୋକେ, ଅନ୍ଧାରେ ।

ବନ୍ୟାରେ ଭାସିଲା ଦେଶ, ଗୃହହୀନ ଜନେ,

‘‘ଚାନ୍ଦା ଦିଅ’’ ବୋଲି ମାଗିଗଲେ କର୍ମିଗଣେ ।

ପଡ଼ିଲା ମରୁଡ଼ି ତେଣେ, ସରିଲା ସଂସାର,

‘‘ଚାନ୍ଦା ଦିଅ’’ ବୋଲି ଡାକ ଦେଲେ ନେତୃକୁଳ ।

ସଭାରେ ଉଠିଲା ତାନ ଫଟାଇ ଆକାଶ-

‘‘ଚାନ୍ଦା ଦିଅ’’ ଆସୁଛନ୍ତି ଶ୍ରୀ ଜୟପ୍ରକାଶ ।

ଆନ କହେ, ‘‘ଚାନ୍ଦା ଦେଇ ଜାଗ ହେ ବିଶ୍ୱାସେ,

‘ଜୟନ୍ତୀ’ ଉତ୍ସବ ଆଉ ଅଛି ମୋଟେ ମାସେ ।’’

 

ଏସେମ୍ବ୍ଳି ସଦସ୍ୟ କହେ ଦେଖାଇ ପ୍ରୋଗ୍ରାମ-

‘‘ହେବ ଆର ମାସେ ଏଠି ମନ୍ତ୍ରୀ ସମାଗମ ।

‘ଚାନ୍ଦା’ ଦେଇ ଧନ୍ୟ ହୁଅ ହେ ପ୍ରଜାମଣ୍ଡଳ,

ଖୋଳା ହେବ ଏଠି କୂଅ, ବନ୍ଧା ହେବ ନାଳ ।’’

ଗ୍ରାମକର୍ମୀ ଦ୍ୱାରେ ଡାକେ ତିନି ଦିନେ ଥରେ -

‘‘ଚାନ୍ଦା ଦିଅ, ଯିବୁ ଆମେ ଡେପୁଟେସନରେ,

କହିବୁ ଏ ଗ୍ରାମ କଥା ସଚିବ ପ୍ରଧାନେ-

କି ଭଳି କାଟନ୍ତି କାଳ ଦୁଃଖେ ଲୋକମାନେ ।’’

ହେବ ଗ୍ରାମେ ପାଠାଗାର, ‘ଚାନ୍ଦା’ ମାଗେ ମାଗା,

‘ଚାନ୍ଦା ଖାତା’ ଧରି ଉତ୍ତା ଯେତେକ ଅଭାଗା !

ଛିନ୍ନବାହୁ - ଅଙ୍ଗୀ ପିନ୍ଧି ଉଠାଇ ‘ଶ୍ଳୋଗାନ’

ଚାନ୍ଦେ ମାଗେ କମ୍ୟୁନିଷ୍ଟ ଅତି ସଂଗୋପନ ।

‘ଜାଗ୍ରତ କୃଷକ’ ନାମେ ‘ଚାନ୍ଦା’ ମାଗେ କେହି

ମାଗେ ଏକବସ୍ତ୍ରୀ ‘‘ହରିଜନେ ଚାନ୍ଦା ଦେହି ।’’

‘‘ଦେହି ଚାନ୍ଦା’’, ‘‘ଦେହି ଚାନ୍ଦା’’ ମାଗେ କେହି ବୁଲି

ଏକଜୁଟ ହେବେ ଏଥି କୃଷକ ଓ କୁଲି ।

‘‘ଚାନ୍ଦା ଦିଅ’’ ରବ ଶୁଭେ ଘରେ ଓ ବାହାରେ

ଚାନ୍ଦା ମାଗେ ଭାର୍ଯ୍ୟା ଯିବ ‘‘ନାରୀସିଂଘ’ ଘରେ ।

ପୁତ୍ର ମାଗେ ‘ଚାନ୍ଦା’ କରିବାକୁ ପକ୍‌ନିକ୍‌

ଭାଇ ‘ଚାନ୍ଦା’ ମାଗେ ହେବ ଉତ୍ସବ ବେସିକ୍ ।

ଘରର ପୂଜାରୀ ମାଗେ ‘‘ଚାନ୍ଦା ଦିଅ ବାବୁ !

ହେବୁ ଏକଜୁଟ ଆମେ ସର୍ବହରା ସବୁ ।’’

‘ଭେରାଇଟି’ ନୃତ୍ୟ ହେବ ‘ଚାନ୍ଦା’ ମାଗେ ବାଳା

ତୁଲେ ଧରି ମାୟା, ଛାୟା, ମାଧୁରୀ ମଞ୍ଜୁଳା ।

ମାଗଇ ପଣ୍ଡିତ ‘ଚାନ୍ଦା’ ଧର୍ମରକ୍ଷା - ନାମେ

‘ଚାନ୍ଦା’ ମାଗେ ଭକ୍ତିଜନ ମନ୍ଦିର - ନିର୍ମାଣେ ।

ପତିତା - ଉଦ୍ଧାର ଲାଗି ବୁଲେ ‘ଚାନ୍ଦା’ ମାଗି

ଗୃହହୀନ ବିପତ୍ନୀକ ନାରୀ - ଅନୁରାଗୀ ।

କରିବ ପ୍ରକାଶ ବହି ‘ଚାନ୍ଦା’ ମାଗେ କବି,

ଜନଦୁଃଖ - ନିବାରଣେ କେହି ଦେଶସେବୀ ।

‘ଚାନ୍ଦା’ ମାଗେ ମଦ୍ୟପାନେ କରିବାକୁ ରଦ୍ଦ

କରିବ ମଦନାନନ୍ଦ, ସଞ୍ଜୀବନୀ ମଦ !!

‘ଚାନ୍ଦା’ ମାଗେ ବୁଢ଼ା, ‘ଚାନ୍ଦା’ ମାଗଇ ଜୁଆନ

ଯୁବତୀ ମାଗଇ ‘ଚାନ୍ଦା’ ବୁଲି ନିଶି - ଦିନ ।

ଶିଶୁ – ପ୍ରଦର୍ଶନୀ ଲାଗି ‘ଚାନ୍ଦା’ ମାଗେ ବାପ,

କରେ ନାରୀ - ପ୍ରଦର୍ଶନୀ ଲାଗି କେ ବିଳାପ ।

‘ଚାନ୍ଦା’ ଉଠେ ପଶୁ - ପ୍ରଦାର୍ଶନୀ ଲାଗି କାହିଁ

କେ ମାଗଇ ‘ଚାନ୍ଦା’ କୃଷି - ପ୍ରଦର୍ଶନୀ ପାଇଁ ।

ସାରା ବିଶ୍ୱ ପ୍ରଦର୍ଶନୀ ହୁଏ ଚାରିଆଡ଼େ

‘ଦିଅ ଚାନ୍ଦା’ ‘ଦିଅ ଚାନ୍ଦା’ ଘରେ ଓ ବାହାରେ !!

ଆହେ ପ୍ରଭୁ ଭାବଗ୍ରାହୀ, ଶୁଣ ମୋ ଗୁହାରି -

‘‘ଚାନ୍ଦାମୟ’ ଏ ସଂସାରରୁ କରିଦିଅ ପାରି ।

ନାଇଁ ଯହିଁ ଚାନ୍ଦାଫାନ୍ଦା ନିଅ ତହିଁ ମୋତେ

ଭସାଅ ପରାଣ ଚାନ୍ଦା - ହୀନପ୍ରେମ-ସ୍ରୋତେ ।’’

 

ମୂଷାସଭା

 

ଯେତେ ଯହିଁ ଅଛ ଶୁଣ ହେ ମୂଷା-

ଚାଳୁଆ, ଚୁଟିଆ, ହେ ଗାତପଶା !

ମାଡିଆସିଲା ଏ ବିପତ୍ତି ଘୋର

ନିଜ ଘରେ ନିଜେ ହେଲେଣି ଚୋର !

ପାଠର ଭଣ୍ଡାର ଯେ ଗଣପତି

ଆମେ ପରା ତାଙ୍କ ବାହନଜାତି ?

ଭୂଇଁ ଖୋଳି ଆମେ ଗାତରେ ଥାଏଁ

ସକାଳ ପହରୁ ସନ୍ଧ୍ୟା ଯାଏ ।

ଆମ ସ୍ୱାଧୀନତା ଟିକିଏ ନାଇଁ

ରାତିବେଳେ କାହିଁ ବୁଲିବା ପାଇଁ ?

ଆମର ପରମ ବଇରୀ ପୁଷି

ତାକୁ ସରକାର ରଖିଲା ପୋଷି !

ଆମେ କି ନୁହେ ଏ ଦେଶର ଜୀବ

ଆମ ସ୍ୱାଧୀନତା କାହିଁକି ଯିବ ?

ଆମ ଘରବାଡ଼ି ଉଠାଇ ଏଥି

ଜାରି ହେଲା ମୂଷା ମାରିବା ନୀତି !

ଅପବାଦ ଆମ ନାମେ କାହିଁକି

ଆମ ପରି ଆଉ କେହି ନାହିଁ କି ?

 

 

ସେକ୍ରେଟେରୀଏଟେ ଆମର ଦୋଷ-

ଫାଇଲି କାଟୁଚୁ ନିଶି-ଦିବସ ।

ନାଇଁ ଏଠି ଧାନ ନାହିଁ ତ ମୁଗ

କରିବାକୁ ଆମେ ବିଳାସ ଭୋଗ ।

ଶୁଖିଲା ଭୂଇଁରେ କରିଚେ ଘର

ମାଇଲା ଆମକୁ ଏ ସରକାର ।

ଏ ସରକାରରେ ଆମେ କି ମୂଷା ?

ଏଠି ହୁଏ ଖାଲି ମୂଷା-ବେଉସା ।

ମୂଷାଙ୍କୁ ତୁଚ୍ଛାରେ ଦିଅନ୍ତି ଦୋଷ

ରଥ, ଜେନା, କର, ଷଡ଼ଙ୍ଗୀ, ଘୋଷ ।

ଦାଶ, ନାଗ, ପଟ୍ଟନାୟକ, ଆୟା,

କଉରା, ସଉରା, ପାଲିତ, ଭାୟା,

ନନ୍ଦ, ମନ୍ଦ, ଛନ୍ଦ, ମେଜର, ପତି

କରନ୍ତି ‘ବିଶାଳ ଓଡ଼ିଶା’ ସୃଷ୍ଟି ।

ତିଆଡ଼ି, ପଧାନ, ମିଶ୍ର, ମହାନ୍ତି

ଆମ ପରି କେତେ ମୂଷା ନାହାନ୍ତି,

କାଟି ପରିମିଟ୍ ତୁଚ୍ଛାରେ କେତେ

ଉଚ୍ଛନ୍ନ କରନ୍ତି ସମ୍ପତ୍ତି ଯେତେ ।

 

 

କୋଇଲା, କପଡ଼ା, ପିଡ଼ିଆ, ଧାନ,

ସୂତା, କିରାସିନି, ରେଳ ଓ୍ୟାଗନ,

ଗାଈଗୋରୁ, ଛେଳି, ମେଣ୍ଢା, ମଇଁଷି

ଖରଙ୍ଗା, ଖାସଲା, ବଡ଼ ଇଲିଶି;

ଲୁହାଛଡ଼, ଚିନି, ଗହମ, ଲୁଣ,

ସିମେଣ୍ଟ ଓ ଟିଣ ପଣକୁ ପଣ,

ନ ଯିବା ଥାନକୁ ଯାଉଚି ବହି,

କଲମ ଗାରକେ, କଳଣା ନାଇଁ ।

ଆମେ ସିନା କାଟୁ ଖାତା ଓ ଫିତା

କାଟନ୍ତି ଏମାନେ ନିପଟ ଚିତା ।

ଏଇ ଚିତା-କଟାମୂଷିକ ଦଳ

ୟାଙ୍କ ପାଇଁ କିଏ ବିରାଡ଼ି ବୋଲ ?

ଆମେ ଯାଇନାହେଁ କଲେଜ ପଢ଼ି

ଚଢ଼ିନାହେଁ ଆମେ ମୋଟର ଗାଡ଼ି ।

ଆମେ କରୁନାହେଁ ବେପାର କାହିଁ

ଆମ ପରି କିଏ ମୂରୁଖ ନାଇଁ ।

ଆମେ ପିଲା ପାଇଁ ନ କରୁ ଜମା

ଆମରି ପିଠିରେ ଉଦୁରୁଦୁମା ।

ତେଣୁ ଆଜି ଏ ବସିଚି ସଭା

ମହତାବେ ଯାଇ ଜଣାଇଦେବା-

ଆହେ ମହାତାବେ ଓଡ଼ିଶାପତି;

ତୁମରି ଭିତରେ ମୂଷା ଅଛନ୍ତି ।

କୁଟୁରୁ କୁଟୁରୁ କାଟନ୍ତି ଢୋଲ

ଆମକୁ ନ ମାରି ତାଙ୍କୁଇ ମାର ।

ଆମେ ଏଠି ମୂଷା ନୋହୁ ତ ଏକା

ଅନେକେ କହନ୍ତି ମୂଷା-ଜୀବିକା ।

ଆଇନ ବିଭାଗେ ଖାତାକୁ ଧରି

କିଏ ବଦଳାଏ ଚିଠି ଫାଇଲି ?

ଯେଉଁ ଆଇନରେ ଆମକୁ ମାର

ସେଇ ଆଇନରେ ବିଚାରକର ।

ହେ ମୂଷାତାରଣ, ଓଡ଼ିଶା-ରାଣ !

ଆମକୁ ନ କର ଏ ହଇରାଣ ।

 

ଛେଳିର ନିବେଦନ

 

ଧୀରେ ଧୀରେ ଆମ ଦେହରୁ ଚମଡ଼ା କାଢ଼

ହେ ଦୟାସାଗର, ହେ ପଶୁଘାତକଦଳ ।

ଆବୁ ବୋଲି ତୁମେ ହାର୍ଣ୍ଣିଆ ଦେଲ ଫୋଡ଼ି,

ହାଣିବା ଆଗରୁ ବେକକୁ ନ ଦିଅ ମୋଡ଼ି ।

ଦେବୀ ମନ୍ଦିରେ ବଳି ପଡୁଥିଲୁ ଆଗେ

ସେ କଥା ଭାବିଲେ ପରାଣେ ବେଦନା ଲାଗେ ।

ସେଠୁ ଛୁଟି ପାଇ କଂସେଇଖାନାରେ ଉଭା

ଆମ ଘେନି କେତେ ଭୋଜିଭାତ, କେତେ ସଭା ।

ଆମେ ଥିଲୁ ଦିନେ ‘ମେଷପଟେମିଆ’ ତଳେ

ଯୀଶୁ ଅବତାର-ସଙ୍ଗୀ ଚାରଣ ବେଳେ,

ଆମେ ଥିଲୁ ପୁଣି ଗାନ୍ଧି ପରମ ସାଥୀ

ରୋଗ-ବଇରାଗେ ଆମ କ୍ଷୀର ତୁମ ପଥି ।

ଧୀରେ ଧୀରେ ଆମ ଚମରେ ଛୁରିକା ଚାଳ

ସରକାର ଘର ହେ ପଶୁଘାତକ ଦଳ ।

ଯକ୍ଷ୍ମା ନିବାରି ଆମେ ଦେଉ ଜୀବଦାନ

ଆମକୁ ନ ମଣ ଅତି ହୀନ, ଅତି ସାନ ।

 

କି ପାପ କରି ଯେ ଏ ଜନମେ ହେଲୁ ଛେଳି

ମରଣ ଅନ୍ତେ ଚମଡ଼ାରେ ହେବୁ ପାରି ।

ଜେତା, ଚଟି ରୂପେ ତୁମ ଶ୍ରୀଚରଣ ଛୁଇଁ

ଆର ଜନମକୁ ଆଉ ଛେଳି ହେବୁ ନାଇଁ !

ଆମକୁ ପୂଜିଲେ ଶ୍ରୀ ଜଡ଼ଭରତ ଋଷି,

ଆମକୁ ସେବିଲେ ନ ମରିବ କାଶି କାଶି ।

ଆମରି ଚମଡ଼ା ଭାନିଟି-ବ୍ୟାଗକୁ ଧରି

ତୁମ ପ୍ରଣୟିନୀ ବୁଲିବେ ବଜାର କରି ।

ପର ସେବା କରି ଧନ୍ୟ ହେଉ ଏ ଛେଳି

ଆମଠୁ ମାନବ ଏ ମହା ଶିକ୍ଷା କରି,

ପରେ ମାରି ଆଉ ନିଜରେ ନ କରୁ ବଡ଼

ଧୀରେ ଧୀରେ ଆମ ଦେହର ଛୁରିକା ଚାଳ ।

 

ମୁକୁଟ-ପରିଧାନ

 

ଘେନ ବତ୍ସ, ଏ ମୁକୁଟ ଦେଲି ତୋର ଶିରେ

ଆଜି ଏ ପାର୍ବଣ ଦିନେ ମହାନଦୀ ତୀରେ ।

ପ୍ରବୃଦ୍ଧ ଶାଳ୍ମଳୀ ବଟ ଶାଳ ପିଆଶାଳ

ଘୋର ଅରଣ୍ୟାନୀ କୋଳେ ପଡ଼ିଚି ଚହଳ ।

ଶୁଭଇ ଚିତ୍‌କାର ଆଜି ବନୁବନାନ୍ତରେ

ଅଗଣିତ ବିରହିଣୀ-ବାନରୀ ଅନ୍ତରେ ।

ଜଳୁଛି ବେଦନାନଳ ହାହାକାରମୟ

ଅରଣ୍ୟ ଧରଣୀ ଆଜି ଲଭେ ପରାଯୟ !

ମରୁଚି ଅକାଳେ ଆଜି ଏ ବାନରଶିଶୁ

ଏଇ ଶୁଣ ବନ୍ଧୁକର ଚୋଟ ଦଶଦିଶୁ !

କେତେ ଯେ ବାନର-ବାମା, ବାନରୀ କିଶୋରୀ

ପଡୁଛନ୍ତି ଏ ଧରଣୀ ତରୁତଳେ ଝଡ଼ି ।

ଆମେ ଏ ବାନରଜାତି ଚିର-ବନବାସୀ

ସେ ଦିନୁ ହେଲାଣି ଏବେ କେତେ ଯୁଗ ଆସି !

ଗଲେ ରାମ ପ୍ରାଣାରାମ ପ୍ରଭୁ ଭାବଗ୍ରାହୀ

ନାହିଁ ସେ ଅଯୋଧ୍ୟା ଆଉ ନାହାନ୍ତି ବୈଦେହୀ !

 

ପଥ ହୁଡ଼ି ଶୋକେ ବୁଡ଼ି ଯେବେ ରାଜା ରାମ

ବୁଲୁଥିଲେ ବନୁ ବନେ ପତିତପାବନ,

କେହି ଥିଲେ କି ରେ ସାଥୀ ଏଇ ନର ଜାତି

ଲଙ୍ଘି ସିନ୍ଧୁ, ମାରଣାସ୍ତ୍ରେ ପାତିବାକୁ ଛାତି ?

ଆମରି ସେ ପିତାମହ ବୀର ହନୁମାନ୍

କରିଥିଲେ ରାମ ଲାଗି ଶରୀର ଦହନ ।

ରାମ ଗଲେ, ଆମେ ହେଲେ ଜାତିର କଳଂକ-

ଆମକୁ ମାରିବାପାଇଁ ଚାରିଆଡ଼େ ଡାକ !

ପଡ଼ିଛି ରେ ଆମ ପାଳି ଏଇ ଥର; ବାବୁ !

‘ରାମରାଜ୍ୟ’ ଗଢ଼ିବାକୁ ଡାକ ଶୁଣ ସବୁ ।

ଥିଲେ ରାମ ଅଭିରାମ ଦୁଃଖୀ ଜନ ସାଥିୀ-

‘ସାବରମତୀ’ର ସେଇ ବୀର ସେନାପତି !

ଆପେ ଜଳି ଦେଲେ ଯେହୁ ପରେ ଦିବ୍ୟାଲୋକ

ନିବାରିବା ଲାଗି ଧରା ରୋଗ ଭୋକ ଶୋକ,

ସେହି ରାମ ଗଲେ ଛାଡ଼ି ବର୍ଷ ତିନି ତଳେ

‘ବାନରସେନାଏ’ ଏବେ ଛନ୍ତି ମହୀତଳେ ।

ଆମେ ତ ‘ବାନରଜାତି’ ସେ ‘ବାନରସେନା’

ଗାଇଥିଲେ ଦିନେ ସେହୁ ଆମରି ବନ୍ଦନା ।

ଲଙ୍ଘିଥିଲେ ଆମ ଭଳି ସିନ୍ଧୁ-କାରାଗାର,

ବାନ୍ଧିଥିଲେ ସେତୁବନ୍ଧ ସତ୍ୟ-ଅହିଂସାର !

ବାନର ଶାସନ ଆଜି ଚାଲିଚି ରେ ଧନ,

ସେ ସିନା ବାନର, ଆମେ ବାନରପ୍ରଧାନ !

ବାନରେ ବାନରେ ହେବ ମିଳନ ମଧୁର

ଦୁଃଖ ଯିବ ଏତେ କାଳେ ବାନର-ବଧୂର ।

ମୋ କୋଳ ନନ୍ଦନ ଆରେ ବାନର-ଭୂଷଣ;

ଶିରେ ତୋର କରି ‘ଧଳା ଟୋପି’ ପରିଧାନ

କରିବୁ ଶାସନ ଆଜି ଏ ସାରା ଦେଶରେ

କରିଛୁ ହାସଲ ବିଦ୍ୟା ବନପ୍ରଦେଶରେ !

ଏଇ ଟୋପି ହେବ ପଥେ ତୋ ରକ୍ଷା-କବଚ

ମିଛେ କରିପାରୁ ସତ, ସତକୁ ତୁ ମିଛ ।

ଡେଇଁପାରୁ ଘରୁ ଘରେ, ଡାଳରୁ ଡାଳକୁ

ସାହସ କେ ନକରିବେ ଆଉ ମାରିବାକୁ !!

ପିନ୍ଧିଲେ ଏ ଟୋପି ହେବୁ କପିକୁଳନାହା,

ପାରିବୁ ବିବୃତି ଦେଇ ଯାହା ଇଚ୍ଛା ତାହା ।

ଅଛନ୍ତି ତୋ ସମଧର୍ମୀ ନଗରେ ନଗରେ

ପୁରପଲ୍ଲ ଜନପଦେ ‘ଜନ-ସମ୍ପର୍କ’ରେ ।

ପାରିବୁ ତୁ ଭୋଟ ପାଇଁ ପ୍ରାର୍ଥୀ ହୋଇ ଧନ;

ତୋର ସେବା ପାଇଁ ଥିବେ କେତେ କଳ-ଯାନ ।

ଅଧାକାମ ସାରିଚନ୍ତି ସେ ବାନରସେନା

ତୋର ଅଙ୍ଗେ ବାଧା ଆଉ ଯିବନାହିଁ ଜଣା !

ପଶିଲେ ‘ସପ୍ଳାଇ’ ଘରେ ଦେଖିବୁ କୁମର

ଚାଲିଅଛି ଭାଗବଣ୍ଟା-‘ତୁମର ଆମର’ !

ଖାଲି କଲେ ଦସ୍ତଖତ ସବୁ କାମ ଫତେ

ତୋଳି ତୁ ପାରିବୁ କୋଠା ଘର ଇଚ୍ଛାମତେ !

ଇଚ୍ଛା କଲେ ମନ୍ତ୍ରୀପଦ ପାଇବୁ ତୁ ଭୋଟେ,

ଗାଇବାକୁ ଯଶୋଗାନ ରହିଛନ୍ତି ଭାଟେ -

‘ସମାଜ’ ଓ ‘ପ୍ରଜାତନ୍ତ୍ର’ ମହାବଳିଆର

ଖାଲି ତୁ କରିବୁ ଗସ୍ତ ଦେଶେ ଚାରିଆଡ଼ ।

ଘେନ ରେ ମୁକୁଟ ଆଜି କପିକୁଳ ପତି

ତୁହି ନ ଜାଗିଲେ ଧ୍ୱଂସ ହେଲା ଏଇ ଜାତି !

ପଦା ହେଲା ବଣଭୂଇଁ; ଘର ହେଲା ବଣ,

ଚୋର ହେଲେ ସାଧୁ; ସାଧୁ ହେଲେ ଚୋରଗଣ ।

ବିରଚିବୁ ଆଶ୍ରମ ତୁ ଋଷିକୂଲ୍ୟା ତୀରେ-

ଚାନ୍ଦା ମାଗି କାନ୍ଦି ବିଶ୍ୱନାଥ ଦାସ ତୁଲେ ।

ଦୁର୍ଗମ ଏ ପଥ ବାବୁ, ବଡ଼ ଭୟଙ୍କର

ଏ ଟୋପି ଛାଡ଼ିଲେ କିନ୍ତୁ ହେବୁ ହରବର ।

 

କପ୍‌ ଓ କେଟେଲ୍

 

କପ୍‌କହେ - ହେ କେଟେଲ୍, ଦେଖ ମୋର ରୂପ

ବକ୍ଷେ ମୋର ଚାହା ପୂର୍ଣ୍ଣ ଅମୃତସ୍ୱରୂପ ।

କେତେ ଜବାଧରା, କେତେ ତରୁଣ ସୁନ୍ଦର

ଦିଅନ୍ତି ମୋ ଅଧରରେ ଚୁମ୍ବନ ମଧୁର ।

ନିମିଷ ଚୁମ୍ବନେ ମୋର, ଶାନ୍ତି ଲଭେ ନର

ଖୋଲାଅଛି ମୋହ ପାଇଁ ରାଜ-ଦରବାର ।

ତୁମ କଳା ରୂପ ଦେଖି ଲଜ୍ଜା ଲାଗେ ମତେ

ଏଡ଼େ ଅସୁନ୍ଦର କାହିଁ ନ ଥିବ ଜଗତେ ।

କହଇ କେଟେଲ - ବୁଝିପାରୁନାହୁଁ କପ୍‌

ମୋ ବିନା ତୁ କିଛି ନୋହୁ, ମୁହିଁ ମାଆ-ବାପ ।

ମୋ ବକ୍ଷ ସିଝାଇ ମୁହଁ ନହେଲେ ଗରମ

ଜଗତେ କି ମିଳନ୍ତା ରେ ତତେ ସନମାନ ?

ଚୁଲିରେ ମୁଁ ବସି ଦଗ୍‌ଧ କଲେ ମୋର ଅଙ୍ଗ

ତୋ ବୁକୁରେ ଉଠେ ସିନା ଅମୃତ-ତରଙ୍ଗ ।

ଖରା-ତାର ସହେ ଯେଉଁ ମଫସଲ ଭୋଟର

ତାର ଭୋଟ ଯୋଗେ ସିନା ମନ୍ତ୍ରୀଙ୍କ ମୋଟର ।

 

ଫାଇଲି ଓ ନାରୀ

 

ଫାଇଲି ପୁରୁଷ ମଧ୍ୟେ ଲାଗିଲା ଲଢ଼େଇ

କାଳ କାଳ ଧରି,

ଚିରିଲା ଫାଇଲି କେତେ, ଭୋଗିଲା ପୁରୁଷ

ଅଜୀର୍ଣ୍ଣ, ଡିସେଣ୍ଟ୍ରୀ ।

ସବୁଜ-ଯୁବକ ପେଟେ ତୀବ୍ର ଡିସ୍‌ପେପ୍‌ସିଆ

କଲା ଆୟୁ ନାଶ

ତନୁ ହେଲା ଶ୍ଳଥଚର୍ମ, ଚିତ୍ତ ବିମଳିନ,

ହେଲା ଦୃଷ୍ଟି ହ୍ରାସ ।

କଳା ଆଉ ନାଲି ସ୍ୟାହି ଚିତ୍ର ସମନ୍ୱୟେ

ପୂର୍ଣ୍ଣ ହେଲା ଘର,

ଜାଗିଲା ଫାଇଲି ବୁକେ କେତେ ସୁଖ ଦୁଃଖ

ଦାରୁଣ ଅର୍ଡର ।

ପରମ ବୈଷ୍ଣବ ଯଥା ଡାକି ‘ରାଧା’ ‘ରାଧା’

‘ରାଧା’ ହୁଏ ଶେଷେ,

ହେ ନାରୀ, ତୁମକୁ ଲୋଡ଼ି- ‘କି ରାଣି’ ‘କି ରାଣି’

ଡାକିଲେ ପୁରୁଷେ !

ଏତେ କାଳ ଥିଲ ତୁମେ କାହିଁ ସୁଲୋଚନେ

କେଉଁ ଅନ୍ତରାଳେ,

ବିଂଶ ଶତାବ୍ଦୀର ଏଇ କର୍ମ-ଉଚ୍ଛ୍ୱସିତ

ଗୃହ-ପାରାବାରେ;

ସାଗର ମନ୍ଥନୁ ଦେବୀ ! ଉଠିଲ କି ଆଜି

ସୁଧା-ଭାଣ୍ଡ ଧରି

ତୁମ ଆଗମନ ଆଶେ ବସିଛନ୍ତି ଚାହିଁ

ଶତ ସେକ୍ରେଟେରୀ ।

ଯୁଗେ ଯୁଗେ ତୁମେ ନାରୀ ରଖିଛ ବଞ୍ଚାଇ

ମାତୃରୂପେ ଧରା,

ମାନବ ମଙ୍ଗଳେ ମଙ୍ଗାଇଛ ଋଷ୍ୟ-ଶୃଙ୍ଗେ

ଅୟି ଜବାଧରା !

କନ୍ୟା ରୂପେ ଲୀଳା କରି ଯାଇଚ ଗୋ ଚାଲି

ପ୍ରୀତି ଅଭିସାରେ,

ହସାଇଚ ପତ୍ନୀରୂପେ ପୁରୁଷ ଜୀବନ୍ତ

ନିଠୁର ସଂସାରେ ।

ସଜାଇଚ ଘରଦ୍ୱାର, ଚିତ୍ତ ମଜାଇଚ,

ବିତ୍ତ ଅଛ ଦେଇ,

କରିଛ ଗୋ ସିକ୍ତ ନେତ୍ର ଅପର କଷଣେ

ଦେବୀ ଦୟାମୟି !

ସୌନ୍ୟରୂପେ ଆଜି ଦେବି, କର ଗୋ ବିଜୟ

ସେକ୍ରେଟେରୀଏଟେ,

ତୁମ ଆଗମନ ଆଶେ ରହିଚି ଦରମା

କମିଟି ରିପୋଟେ ।

ସଜାଅ ଫାଇଲି ଦେବି ! କର ସଂଗଠନ

ହାଣି ନେତ୍ରବାଣ,

ଜଗାଅ ଏ ଭ୍ରନ୍ତ କ୍ଳାନ୍ତ ଶ୍ରାନ୍ତ ଦେଶ ପ୍ରାଣେ,

‘ନିଆଁଖୁଣ୍ଟା’ ରାଣ ।

 

ଦାଢ଼ି

 

ହେ ଦାଢ଼ି, ହେ ଶ୍ମଶ୍ରୁ ତବ ନାମେ ନମସ୍କାର !

ଯୁଗେ ଯୁଗେ ମାନବର ଚିତ୍ତ-ପାରାବାର

ହୋଇଲେ ମଥିତ, ଧରେ ଦଣ୍ଡ-କମଣ୍ଡଳୁ

ତୁମ ତୁଲେ ତରିବାକୁ ସଂସାର-ଜଞ୍ଜାଳୁ ।

ଦୂର ଦୃଶଦ୍‌ବତୀ ତୀର ଋଷି କଣ୍ଠ ଭେଦି

ଜାଗିଲା ସଙ୍ଗୀତ ଯେବେ ପରମ ଅନାଦି-

ପରଂବ୍ରହ୍ମ ପ୍ରାପ୍ତି ଆଶେ; ତୁମେ ଥିଲ ତହିଁ

ଶାନ୍ତ ଅନାବିଳ ଶୁଭ୍ର ମୁକ୍ତ ବେଶ ବହି !

ତୁମେ ଥିଲ ଯାଗ-ଯାଜ୍ଞେ ବ୍ରହ୍ମଚାରୀ ପାଶେ,

ପ୍ରୌଢ଼ର ସଙ୍କେତ ତୁମେ ଜ୍ଞାନ-ସମାବେଶେ,

ବିବିକ୍ତ ମାନବ ମୁଖେ ଦିଅ ତୁମେ ଦେଖା,

ଯୋବନର ସମୁଦ୍‌ଗମେ ହେ ପ୍ରଥମ ସଖା !

ତରୁକୁ ବଳ୍‌କଳ ଯଥା, ମାଂସ ଲାଗେ ନଖେ,

ତବ ଜନ୍ମ ଯୁଗେ ଯୁଗେ ଏ ମାନବ ମୁଖେ ।

ମରୁ ପାଲଟଇ ଧରା, ଗିରି ହୁଏ ସିନ୍ଧୁ

ମାତ୍ର ତୁମେ ଦାଢ଼ି ! ନର ଚିରନ୍ତନ ବନ୍ଧୁ ।

କାଳଚକ୍ର ବିବର୍ତ୍ତନେ ତୁମରି ନାମରେ

ଚାଲେ କେତେ ଲୀଳା ଆଜି ଏ ଧରାଧାମରେ ।

 

 

ଭିକ୍ଷାଶୀ ବିପନ୍ନ ଜନ, ହତାଶ ପ୍ରେମିକ

ଲକ୍ଷ୍ୟ ପ୍ରାପ୍ତି ଆଶେ ଘେନୁଛନ୍ତି ତୁମ ଭେକ ।

କରି ଆବରଣ ତବ ବେଶକୁ ଏ ନର

କଳିକାଳେ ଆଚରଇ ନାନା କାରବାର ।

ମଠେ ଓ ମନ୍ଦିରେ ଧର୍ମ-ନାମ ଗାଇ ଗାଇ

ପରମ ଜଞ୍ଜାଳୀ କେତେ ସନ୍ନ୍ୟାସୀ ବୋଲାଇ ।

ଏ କଣ୍ଟ୍ରୋଲ କାଳେ ତବ ଉନ୍ନତି ଭୀଷଣ

କ୍ଷୁର ବିନା ଚାଲେ ନାନାରୂପେ ଉପାସନ ।

ରାଜନୀତି ରଙ୍ଗମଞ୍ଚେ ରାଜର୍ଷି ପରାଏ

ତୁମକୁ ଧରି ବା କେହୁ ଭୋଟ ପାଇଁ ଧାଏଁ ।

ଛାଡ଼ିବି ତୁମରେ ଅବା, ଧରିବି ଆଦରି

ଖାଦ୍ୟ ଅନଟନ ଯୁଗେ ପର୍‌ମିଟ୍‌ ପରି !

ଏଇ ଯେ ଆଶାର ରେଖା ଦୂରେ ଦିଶେ, ଦାଢ଼ି,

ବାଳ ସେର ଦଶ ଟଙ୍କା ଦରଦାମ ବଢ଼ି !

ଚାଉଳଠୁ ତୁମ ମୂଲ୍ୟ ହେଲା ଏବେ ବେଶି,

କୃପାବଶେ ସର୍ବ ଅଙ୍ଗେ ବାରେ ପରକାଶି

ଲୋମଶ ଜୀବରେ କର ପରିଣତ ମୋତେ

ଭସାଅ ପରାଣ ମୋର ତବ ପ୍ରେମ-ସ୍ରୋତେ ।

 

 

କର ମୋତେ ହରିହର, ଓତା କୃପାସିନ୍ଧୁ

କର ବାରେ ବୀରବର ନାରାୟଣ ବନ୍ଧୁ,

କର ହେ ଶଙ୍କର ରାଓ, ଶ୍ରୀ ନରେନ୍ଦ୍ର ଦେବ

ଯୁଗେ ଯୁଗେ ଦାଢ଼ି, ତବ ଶକ୍ତି ଅଭିନବ ।

ଚ୍ୟବନ, ବିଶିଷ୍ଠ, ଅତ୍ରି, ଭୃଗୁ ନିଷେବିତ

ହେ ଶ୍ମଶ୍ରୁ, ତୁମରେ କବି ଯୋଡ଼େ ବେନି ହାତ ।

ପରକ୍ଷଣେ ବିଚାରିଲେ ଶ୍ରୀଗୁଣ୍ଡିଚ ଯାତ

ବିଦ୍ୟା ବୁଦ୍ଧି ଧ୍ୟାନ ମାନ ସବୁ ପରାହତ !!!

 

ଗରିବର ଦୁର୍ଗାସ୍ତବ

 

ଜନନୀ ଗୋ, ତୁମେ ଗସ୍ତରେ ଆସି

କାଲି ତ ଯାଇଚ ଫେରି

କି ଅବା ତୁମର ‘ପ୍ରୋଗ୍ରାମ’ ଥିଲା

ଜାଣିବାକୁ ଚାହେଁ ଖାଲି,

ନଗରେ ନଗରେ ବାଜା ବାଜୁଥିଲା,

ଜମାହୋଇଥିଲେ କେତେ ଥିଲାବାଲା,

ବିଚାରିଲି, ତୁମେ ପାଲଟିଗଲ କି ଆମରି ମନ୍ତ୍ରୀ ପରି

ଆସିଥିଲ ମାଆ, ସତେ କି ଚଢ଼ି ଗୋ

ନୂତନ ହାଓ୍ୟା ଗାଡ଼ି ।

‘ଜଗତଜନନୀ’ ବୋଲି ତୁମ ନାମ

କିଏ ସେ କିପରି ଦେଲା ?

ତୁମ ଦରଶନ ପାଇଁ ଲାଗିଥିଲେ

ଥିଲାବାଲା ଠେଲାପେଲା ।

ଫୁଲମାଳା ଥିଲା କେତେକ ହାତରେ

କିଏ ଆସିଥିଲେ ତୁମରି ସାଥିରେ

ସେ କଥା ବିଚାରି ଭାବୁଚି ମୁଁ ତୁମେ

ମନ୍ତ୍ରୀ ପାଲଟିଗଲ ।

 

ଖାଲି ଫୁଲମାଳା ଅର୍ଚ୍ଚନା ହେଲା-

ତୁମେ କି ତା’ ନାହିଁ କଲ ?

ତୁମେ ତ ଖାଇଲ ଭୋଗରାଗ ବୁଲି

ଥାନେ-ଥାନେ ନାନମତେ

କିଏ ସେ ପୂଜିଲା ଖଜା ପିଠା ଦେଇ,

କିଏ ବା ଖେଚଡ଼ି ଭାତେ ।

ଖାଇବାକୁ ହେଲା ଦିନେ ଦଶ ଥର

ସେ କଥାକୁ ତୁମେ ମନା କି କରିଲ?

କି ଭଳି ଭାବିବି, ତୁମେ ହୋଇନାହିଁ ମନ୍ତ୍ରୀ ସ୍ୱର୍ଗପୁରେ

ଖାଇବାକୁ ଯେଣୁ ମନା କଲା ନାହିଁ

ଯିଏ ଦେଲା ଯେତେବେଳେ !

ଜନନୀ ଗୋ, ତୁମେ ଯାଇ’ନ ଆଦୌ

ମଫସଲ ରାସ୍ତାରେ

ମନ୍ତ୍ରୀ ଆମର ଯାଆନ୍ତି ଏ ଭଳି

ଗଲାବେଳେ ଗସ୍ତରେ ।

ମୋଟେ ତିନି ଦିନ ଗସ୍ତରେ ଆସି

ଗାଆଁ ଛାଡ଼ି ଖାଲି ସହରରେ ପଶି

ଖସି ଚାଲିଗଲେ; ଏ ଭଳି ଗସ୍ତ

ଆଉ ଥରେ ଯେବେ କର ।

 

 

 

ଜାଣିଥ’ ହୋଇବ ‘ନିଆଁଖୁଣ୍ଟା’ ରେ

ତୁମେ ବଡ଼ ହରବର !

ଜନନୀ ଗୋ, ତୁମେ ଟି. ଏ. ନେଉଥିବ

ଜାଣୁଚି ଏଥିରୁ ମୁହିଁ

ସହରରେ ଖାଲି ବୁଲି ଫେରିଗଲ,

ମଫସଲେ ଗଲ ନାଇିଁ ।

ଟି. ଏ. ବିଲ୍ ଦେଲେ ଦେବ କେତେ କରି

ଜାଣିବେ ସେ କଥା ବ୍ରହ୍ମା ମୁରାରି,

ଏତିକି ମୁଁ ଜାଣେ, ମଫସଲେ ତୁମେ

ଗଲ ନାଇଁ ଜାଣିକରି

କାଦୁଅ ରାସ୍ତା, ଅଭାବ ଶସ୍ତା,

ଲୋକଗୁଡ଼ା ମଫସଲି ।

ଦେଖିଥିବ ମାଆ, ନଗ୍ର ବିହାରେ

ମନ୍ଦିର କେତେ ବୁଲି,

ଆଗ ପରି ଆଉ ତୁମ ସେବା ଲାଗି

ନାହିଁ କାହିଁ ଛେଦ ଛେଳି

ଯେତେ ଥିଲେ ଛେଳି ପାଲଟିଗଲେଣି

ଚୋରାବଜାରିଆ ରୂପରେ, ଜନନି !

 

 

ପଶୁ-ବଳି ଯେବେ ଲୋଡୁଥିଲ ମାଆ,

ସେଗୁଡ଼ା ଶସ୍ତା ଏଠି

ସେଗୁଡ଼ାକୁ ଯାହା ଛାଡ଼ିଦେଇଗଲ

ନ ନେଇ ଗସ୍ତ ଭେଟି !

ନଗରେ ଜନନି ! ତୁମକୁ ପୂଜିଲେ

ଯେ ଦେଇ ଅର୍ଘ୍ୟଫୁଲ

ଜାଣିପାରିଲନି ସେଗୁଡ଼ାକ ଖାଲି

ମଣିଷମରାର କଳ !

ସେ କଳ ଭିତରେ ଚାହା-ଭୋଜ ଚାଲେ

କିଳାପୋତେଇର ଅନ୍ଦର ପୁରେ,

ସିନ୍ଦୂର ବୋଲି ଯାହାକୁ ବୋଳିଲେ

ତୁମ ଦେହେ ଅବିରଳ

ଏଇ ମଫସଲବାସୀର ସେ ପରା ତଟକା ରକ୍ତଜଳ !

ଏଥର ତ ଗଲ, ଆଉ ଥରେ ଯେବେ

‘ପୋଗ୍ରାମ୍’ ପଡ଼େ କେବେ

‘ମେମୋରାଣ୍ଡମ’ ଦେଉଚି ଆଗରୁ,

ଭୁଲିବ ନାହିଁଟି ଲବେ-

ମାଟି ବାଲିବୋଳା ମଫସଲ ତଳ,

ରକ୍ତ ପାଲଟେ ଯହିଁ ଲୁହ ଝାଳ,

ସେଇଠି ପଖାଳ ଖାଇ ଯିବ ଥରେ

ଶାଗ ଲୁଣ ମରିଚରେ

ଭୋଟ୍ ଦେଇ ଯହିଁ ଥର ଥର କରି

ମଣିଷ ମନ୍ତ୍ରୀ ଗଢ଼େ !!

 

ମୁକୁଟ ଓ କୌପୀନ

 

ସେ ପଟେ ଉଠଇ ତୋପ ବନ୍ଧୁକ

କମ୍ପାଇ ବସୁମତୀ

ଉଠଇ ଏ ପଟେ କୋଟି ଜନତାର

କଂଠ ତଟର ଗୀତି ।

ଏ କି କୋଳାହଳ ? ପଚାର ଯାତ୍ରୀ,

କାହାର ଏ ଅଭିଯାନ ?

ଶୁଣିବ - ଏ ପଟେ ରାଜମୁକୁଟର,

ସେ ପଟରେ କୌପୀନ ।

ଯୁଗ-ଯୁଗାନ୍ତ ଅନ୍ଧାର ଗିରି-

ଗହ୍ୱର ତଳେ ଥାଇ

ଲଭିବ ସିନ୍ଧୁ-ସଂଗ୍ରମ ବୋଲି

ଆସିଲା ଯେ ନଈ ଧାଇଁ,

ଏତେ ଦିନେ ସେଇ ନୀଳଗିରି ଗିରି-

ଗହ୍ୱର ହୋଇ ପାରି

କଂକାଳକୁଳ ରୁଦ୍ଧ ଜୀବନ

ମୁକ୍ତିର ଅଧିକାରୀ !

 

ମନ୍ତ୍ରୀ କହିଲେ...

 

ମନ୍ତ୍ରୀ କହିଲେ - ଚାଷ କର, ଭାଇ ! ଚାଷ କର,

ଇସ୍‌କୁଲେ ଯା’ କହିଲେ - ରେ ପିଲେ, ପାଶ୍ କର ।

ଶେରଗଡ଼େ ଯାଇ ରଇତ ସଭାରେ

ଘେନିଲେ ସେ ମାଳା ଭାସ୍କର ।

ମନ୍ତ୍ରୀ କହିଲେ - କର ମୋତେ ସବୁ ବିଶ୍ୱାସ

ବେଳ ନାଇଁ ଏବେ ମାରିବାକୁ ମୋତେ ନିଃଶ୍ୱାସ ।

ଥୟ ଧର, ଯେତେ ଦୁଃଖ-ଦୁର୍ଦ୍ଦଶା

ହୋଇଯିବ ସବୁ ଉଶ୍ୱାସ ।

ମନ୍ତ୍ରୀ କହିଲେ - ସୂତା କାଟ, ସବୁ ସୂତା କାଟ

ସୂତାକଟା ବିନେ ଆଉ ନାହିଁ କାହିଁ ନୂଆ ବାଟ ।

ଚଉଦୁଆରେ ଯେ ମିଲ୍ ଚାଲୁହେବ

ଅରଟଟା ତାର ଛୋଟ କାଟ ।

ମନ୍ତ୍ରୀ କହିଲେ - ଦରମାଟା ଯିବ କାଲି ବଢ଼ି

ଚାକିରି ପାଇବେ ଯେତେକ ଅଛନ୍ତି ବୁଢ଼ାବୁଢ଼ୀ ।

ତୁମେ ଏତେବେଳେ କାମ କରିଯାଅ

ଯେତେ ବଳ ଅଛି ଲାଗିପଡ଼ି ।

ମନ୍ତ୍ରୀ କହିଲେ-ଶିଖ ସବୁ ଖାଲି ସଙ୍ଗୀତ

ସଙ୍ଗୀତେ ଅଛି ଭଗବାନଙ୍କର ଇଙ୍ଗିତ।

ଏ ଦେଶେ ହୋଇଚି ବହୁକାଳୁ ଏଇ

ଭଗବାନ ନୀତି ଲଙ୍ଘିତ ।

ମନ୍ତ୍ରୀ କହିଲେ - ବେଶି କର ସବୁ ଅଳ୍ପକୁ

ମନ ଦେଇ ପଢ଼ ଯେତେ ମୁଁ ଲେଖିଚି ଗଳ୍ପକୁ ।

ଯାତ୍ରା ଆମର ଆଗେଇ ଚାଲିବ

ଭୂଇଁ ତଳୁ ତୁଳି ତଳ୍ପକୁ ।

ମନ୍ତ୍ରୀ କହିଲେ - ଘଉଡ଼ାଅ କମ୍ୟୁନିଷ୍ଟରେ

କାଲି ଦଗାଦାର ଥିଲେ ଏ ଭାରତ - ସୃଷ୍ଟିରେ ।

ସେ ବୋଲରେ ଯେହୁ ପଡ଼ିବ, ମରିବ,

ଛଟପଟ ହେବ ନଷ୍ଟିରେ ।

ମନ୍ତ୍ରୀ କହିଲେ - ଦେଇ ମୋତେ ଅଭିନନ୍ଦନ

ଶୁଣାଇଚ ଯେତେ ବୁକୁଫଟା ଦୁଃଖ କ୍ରନ୍ଦନ ।

ମୋତେ କହିଲଣି, ଏଣିକି ଏସବୁ

ରହିବ ନାହିଁଟି ବନ୍ଧନ ।

ମନ୍ତ୍ରୀ କହିଲେ - ସାମ୍ୟବାଦଟା ଭଣ୍ଡାମି

ତହିଁ ପଶି କିଛି କର ନାହିଁ କେହି ହୁଣ୍ଡାମି ।

ସରକାର ହାତେ ଅସ୍ତ୍ର ରହିଚି

ଦବାଇବାକୁଟି ଗୁଣ୍ଡାମି ।

ମନ୍ତ୍ରୀ କହିଲେ - କସରତ କର କସରତ

ସୁନ୍ଦର କର, ଚଞ୍ଚଳ କର ଗୋଡ଼ହାତ ।

ବିଡ଼ି, ସିଗାରେଟ, ପାନ ଛାଡ଼ି କରି

ପାନ କର ଖାଲି ସରବତ ।

ମନ୍ତ୍ରୀ କହିଲେ - ରାଜନୀତି ନୁହେ ବୃଦ୍ଧର

ଖର୍ଚ୍ଚ କମାଅ ଭୋଜିଭାତେ ବିଭା, ଶ୍ରାଦ୍ଧର ।

ଦେଶକୁ ନ କର ପର ଆପଣାର

କାହାକୁ ନକର ମାରଧର ।

ମନ୍ତ୍ରୀ କହିଲେ - ହେବ ନିଶା ପାଇଁ କଟକଣା

ରାଇଗଡ଼େ ଚାଲେ ନୂଆ ହୋଇ ମଦ କାରଖାନା ।

ସ୍ୱାସ୍ଥ୍ୟ ବଢ଼ିବ ଯେଝା ଗାଏଁ କର

ହାତେ ଖୋଳି ଟ୍ରେଞ୍ଚ୍ ପାଇଖାନା ।

ମନ୍ତ୍ରୀ କହିଲେ - ଗଢ଼ ଖାଲି ଫୁଲ ଉଦ୍ୟାନ

ମନ୍ତ୍ରୀ କହିଲେ - ହୁଅ ସବୁ ଖାଲି ବିଦ୍ୱାନ ।

ମନ୍ତ୍ରୀ କହିଲେ - ବେଶି ଖାଅ ନାହିଁ

ପେଟରେ ହୋଇବ ଆଧ୍ୱାନ ।

ମନ୍ତ୍ରୀ କହିଲେ - ଚାଉଳଟା ହେବ ଶସ୍ତା

ଶସ୍ତା ହୋଇବ ମାର୍କିନ ଧୋତି କସ୍ତା ।

ଊଣେଇଶ - ଅଶୀ ମସିହାକୁ ହେବ

ଟଙ୍କାଏ ଧାନ - ବସ୍ତା ।

 

ବର୍ଷ-ବିଦାୟ

 

ହେ ମୋର ପ୍ରାଚୀନ ବର୍ଷ, ନିଅ ହେ ବିଦାୟ,

ତୁମରି ଉଦାର କୋଳେ କରିଚି ଆଦାୟ

କେତେ ଟି. ଏ., କେତେ ଡି. ଏ., କେତେ ଗସ୍ତଭତ୍ତା

ଏବେ ବି ପାକେଟେ ଅନୁଭବେ ତୁମ ସତ୍ତା ।

ଜନଗଣମନ ଭୋଟ ଅଧିନାୟକ ମୁଁ,

ସୁବିପୁଳ ତୁମ କୋଳେ ଦିନେ ଭ୍ରମୁ ଭ୍ରମୁ

କାଲିର ଫକିର ହେଲ ଆଜି ଏ ରାଜନ

ଘେନ ଭକ୍ତ ନମସ୍କାର ହେ ଭକ୍ତିଭାଜନ !

ଭୁଲି କି ପାରିବି ଆଜି ହେ ପ୍ରାଚୀନ ବର୍ଷ,

ତୁମେ ପ୍ରଭୁ, ମୁଁ ରଇତ କରେ ଭାଗଚାଷ ।

କରିଚି ଯା’ ଆହରଣ ଏ ମର - ଜନମେ

ତାର ପ୍ରତିଦାନେ ଆଜି ଶ୍ରୀଚରଣେ ନମେ ।

କରିଚ ‘ଡିଲର’ ମୋତେ, ଦେଇଚ ‘କମିଟି’

କରିଅଛି ସଭାପତି ଗଢ଼ିବାକୁ ‘ପାର୍ଟି’ ।

ଦେଇଚ ହେ ମୌନବ୍ରତ ଏସେଂବ୍ଲି ହଲ୍‌ରେ

ବାହୁକୁ ଦେଇଚ ବଳ ହାତ ଟେକିବାରେ ।

ଅଧରେ ଦେଇଚ ମୋତେ ସ୍ମିତହାସଧାରା

ହରିବାକୁ ବଚନରେ ପ୍ରାର୍ଥୀ ଦୁଃଖଭାରା ।

ଦେଇଚ ଖଦଡ଼ ରଖିବାକୁ ତ ଘୋଡ଼ାଇ

ଯେତେ ଗର୍ବ, ଅହମିକା, ବାସନା, ବଡ଼ାଇ ।

ତୁମେ ଯିବ, ତୁମ ଆଗେ ଏଇ ଯେ ଆସୁଚି

ଭବିଷ୍ୟ ନବୀନ ବାର୍ଷ ଘେନି କର୍ମସୂଚୀ !

ତୁମ ଆଶୀର୍ବାଦ ମୋର କହିଯାଅ ତା’ରେ

କଥାରେ ଚିଠିରେ ଅବା ରେଡିଓ ବେତାରେ ।

ତୁମ ପରି ହୁଅନ୍ତୁ ଏ ଉଦାର ମହାନ

ଜିଣିପାରେ ଯଥା ମୁହିଁ ଜନଗଣମନ ।

ତୁମ ସାର୍ଟିଫିକେଟରେ ହେଉ ମୋର ଜୟ,

ହେ ମାର ପ୍ରାଚୀନ ବର୍ଷ ! ବିଦାୟ, ବିଦାୟ ।

 

ଲାଲ କିଲା

 

ଜୟତୁ ଦୁର୍ଗ ମୋଗଲ-ଗର୍ବ

ଲାଲ କିଲା; ଲାଲ କିଲା,

ସାହାଜାହାନର ପ୍ରୀତି-ସଙ୍ଗୀତ

ଯା କୋଳେ ଉଛୁଳିଥିଲା ।

ଯା ପାଷାଣ ଶୁଣିଥିଲା କିଂକିଣୀ

ମମତାଜ ପଦ ଚୁମ୍ପି,

ପାଲଟିଚି ସେଇ ସାରା ଭାରତର

ଅମର ତୀର୍ଥ ଭୂମି !

ଲାଲ କିଲା, ତୋର ପରଦା ସେ ପଟେ

ଇତିହାସେ ଅଛି ଲେଖା -

ସେ ଦିନୁ ତୋ ପଦେ ଯୋଡ଼ି କରଯୁଗ

କରିଲେ ବିଦେଶୀ ଦେଖା ।

ବଣିକ - ବାହିନୀ ମାଗିଲେ ଭିକ୍ଷା,

ବେପାର ଚାଲିଲା ଦେଶେ,

ଆଜି ଭାରତର ନଭୋମଣ୍ଡଳେ

ସେ ବଣିକ - ବାନା ଭାସେ ।

ଲାଲ କିଲା, ତୋର ନିବିଡ଼ ନୀରବ

ଗଭୀର ଗର୍ଭେ ଦିନେ

ବିଚାରେ ବନ୍ଦୀ ବାହାଦୂରଶାହ

ହେଲେ ବିଦ୍ରୋହୀ ନାମେ ।

ଏତେ ଦିନ ପରେ ତୋ କୋଳେ ଶୁଭିଲା

‘ଜୟ ହିନ୍ଦ୍’ ‘ଜୟ ହିନ୍ଦ୍’,

ଆକୁମାରୀ-ହିମାଚଳ ଚହଲାଇ

‘ଇମ୍ପାଲ’ତଟୁ ‘ସିଂଧ୍’ ।

 

ବାରମାସୀ-ବଜେଟ୍

 

ତୁମ କଥା କେବେ ଜୀବନେ ଥରେ ମୁଁ ଭାଙ୍ଗିନି,

‘ମାର୍ଚ୍ଚ’ ମାସରେ ଲାଟସଭା ହେଲେ ସଙ୍ଗିନି!

ଦୈନିକ ଯାହା ଭତ୍ତା ମିଳିବ

କିଣି ଦେବି ଶାଢ଼ି ରଙ୍ଗିନୀ ।

ଶୀତ ଛାଡ଼ି, ଛାଡ଼ି ନଥିବ ଏ ଗାଆଁ ମଫସଲେ

ମଫସଲ-ବାସ କରିବ ସଜନି ! ‘ଏପ୍ରିଲେ’

ବିଲ୍ ଦେବି ଖାଲି ଫେରିଲେ ଏ ଥର

ଟୁର କରି ସାରି ତିର୍ତ୍ତୋଲେ ।

‘ମେଏ’ ମାସେ ହେବ ଉତ୍ତାପ ବଡ଼ ଗ୍ରୀଷ୍ମର

ପ୍ରୋଗ୍ରାମ ମୋର ରହିଚି ବୁଲିବି ଘୁମୁସର ।

ବେହେରା ସାହେବ ପରମିଟ୍ ଦେବେ

ଗ୍ୟାଲେନ ପଚାଶ ପେଟ୍ରୋଲ ।

ହାଓ୍ୱାଗାଡ଼ିର ଫରମାସ୍ ଅଛି ‘ଜୁନ୍’ ମାସେ

‘ପଣ୍ଡା ମୋଟରେ’ ‘ସେରିଫ୍ ବାସ’ ରେ କିଏ ବସେ ?

ଆମର ଧର୍ମ, ମଧୁର-କର୍ମ

ବର୍ମାରୁ ଫେରି ଏଇ ଦେଶେ ।

ଆଦ୍ୟ ଆଷାଢ଼େ - ‘ଜୁଲାଇ’ ମାସରେ ସିନ୍ଦୁରି !

ମୁଁ ହେବି ଯକ୍ଷ, ତୁମେ ବିବହିଣୀ କିନ୍ନରୀ ।

 

 

ତିନିଟା ହୋଟେଲ, ବାଇଶିଟା କ୍ଲବ୍

ଉନ୍ମୋଚନେ ମୁଁ ଯିବି ଭାରି ।

ଗସ୍ତ କରିବି ନାଇଁ ‘ଅଗଷ୍ଟ’ ଏଇ ଥର

ସମ୍ବଲପୁରେ ରହିଚି କର୍ମ ବିସ୍ତର;

ଏଣ୍ତି କମିଟି ବୈଠକ ହେବ,

ମୁହିଁ ସଭାପତି ସେଇଥିର ।

ମନେ ରଖିଥାଅ ‘ସିତମ୍ବର’ର ପ୍ରୋଗ୍ରାମ

ଜୀବନେ ମୋହରି ଲାଗିଚି ଏପରି ସଂଗ୍ରାମ-

‘ଭୋଜନ-ବିହୀନ-ସଂଘ’ ଗଢ଼ିବି

କରିବାକୁ ଖାଲି ଆଘ୍ରାଣ ।

ବଢ଼ିବ ତା ପରେ ‘ଅକ୍‌ଟୋବର’ର ଯାତ୍ରା ଗୋ

କମିଆସିଥିବ ଦୂର୍ଦ୍ଦିନ ମେଘମାତ୍ରା ଗୋ,

ବଳକା ବଜେଟ ପୁଣି ଆଲୋଚନା-

ପର୍‌ମଟ୍‌ହେବ ଶସ୍ତା ଗୋ ।

‘ନଭେମ୍ବର’ ରେ ଫସଲ ଉପରେ ଦୃଷ୍ଟିକି-

ରଖି ଗଢ଼ିବାକୁ ହେବ ଏ ଆମର ସୃଷ୍ଟିକି !

ଥରେ ଚାଷୀ, ଥରେ ମାଲିକ ସଭାରେ

ଗର୍ଜିବି ଚିପି ମୁଷ୍ଟିକି !

 

 

କିଏ କରିଥିବ କାହା ବଳ କାହିଁ କର୍ଷଣ,

ମକଦ୍ଦମା ହେବ ‘ଡ଼ିସେମ୍ବର’ ରେ ବର୍ଷଣ

ମୋହରି ଭିତରେ ଭଗବାନ ହେବେ

କେବେ କାହା ପାଇଁ ପରସନ !

ତା ପରେ ଆସିବ ‘ଜାନୁୟାରୀ’ ମାସ, କମ୍ପିବ

ଶୀତେ ତନୁ ତବ, କମଳ ଚରଣେ ସଂପିବ

କେତେ କମ୍ବଳ, ଲେପ ଓ ରେଜେଇ,

ଦେଖି ତୁମେ ଅନୁକମ୍ପିବ ।

‘ଫେବୃୟାରୀ’ ମୋ ଟି-ପାର୍ଟି-ମାସ ପାଞ୍ଜିରେ

ଦିନକେ ଦଶଟା ସଭା ଦେଇଥିବି ଖଞ୍ଜି ରେ

ନାହିଁ କରୁଥିଲେ ଗଳାରେ ମାଲ୍ୟ

ଲୋକେ ଦେଉଥିବେ ଗୁଞ୍ଜି ରେ !

 

ମୁଁ ଯେବେ ମରିବି

 

ମରିବି ବୋଲି ବସିଲି ଦିନେ

ପାରିଲି ନାହିଁ ମରି

ସେଇ କଥା ମୁଁ କହୁଚି ଆଜି

କଲମ ହାତେ ଧରି-

ଲେଖୁଚି ‘ନିଆଁଖୁଣ୍ଟା’ ଏବେ

ବସି ଭୁବନେଶ୍ୱରେ

ଆର ଜନମେ ଜନ୍ମ ହେବି

କେଉଁଠି କାହା ଘରେ ?

କେଉଁ ବନାନୀ ଶ୍ୟାମଳ କୋଳେ,

କେଉଁ ପାହାଡ଼ ତଳେ

ଅଥବା କେଉଁ ପଲ୍ଲୀ ଗାଏଁ

ଫେରିବି ଆଉ ଥରେ ।

ଚିନ୍ତା ମୋର ହୋଇଚି ବଡ଼

ବିଚାରି ଏଇ କଥା,

କେଉଁଠି ପୁଣି ଜନ୍ମ ହେବି

କିଏ ସେ କହିବ ତା’ ?

 

 

ବିଚାର କରେ, ଶ୍ରୀ ମହତାବ

ଅଗରପଡ଼ା ଘରେ

ଜନ୍ମ ଯେବେ ଲଭିବି ମୁହିଁ

ଏଇ ଜନମ ପରେ,

ହେଇ ବା’ ପାରେ ମନ୍ତ୍ରୀ ଥରେ

ଉଡ଼ାଇ ଜୟ ଧ୍ୱଜା,

କହିବେ ଦେଶେ ସକଳେ ମତେ

ଅଗରପଡ଼ା ରଜା !

ତଥାପି ମୋର ନ ବଳେ ମନ,

ମରିବି ଖଟି ଖଟି,

କିଏ ସେ ମୋର ବୁଲିବ ସାରା-

ଦେଶରେ କରି ପାଟି !

ଆଉ ଯେ ଥିବେ ମନ୍ତ୍ରୀମାନେ

ମଉଜେ ଥିବେ ଶୋଇ,

ଅଗରପଡ଼ା ଉଆସେ ମୁହିଁ

ଜନ୍ମ ହେବି ନାହିଁ !

ମନ ମୋ ହୁଏ ଶ୍ରୀ କାନଗୋଇ

ବଂଶେ ହେବି ଜାତ,

ଦୁଗ୍‌ଧଫେନ୍‌ଶୁକ୍ଳ ବେଶେ

ହୋଇବି ଆତଯାତ ।

କହିବି ଖଥା ଅଳ୍ପ କରି,

ରହିବି ସବୁଥିରେ,

ଗୋଟିଏ କଥା ଭାବିଲେ ଖାଲି

ଚିତ୍ତ ମୋର ଥରେ-

ଜନମ ଦିନୁ ଚଷମା ଯୋଡ଼େ

ଆଖିରେ ରଖି ରଖି,

ହୋଇ ପାରିବି ନାଇଁ ମୁଁ କେବେ

ଜୀବନେ ଚାରିଆଖି ।

ସେ ଆଶା ଛାଡ଼ି ବିଚାର କରେ-

ତିଆରି ନନା ଘରେ,

ଜନ୍ମ ଯେବେ ନେବି ରେ ଭାଇ,

ଭାଗ୍ୟେ ମୋର ଥିଲେ !

ସେଥିକି ରାଜି, କେବଳ ଭାବେ-

ମାଂସ ମାଛ ଛାଡ଼ି,

ମନ୍ତ୍ରୀ ହୋଇ ପାରିବିନାଇ

ହବିଷ ନିତି କରି ।

ଚମତ୍‌କାର ହୋଇବ ଭାଇ,

ହୋଇବି ଯେବେ ବୋଷ,

ଘୋଡ଼େଇ ରଖି ପାରିବି ଯେତେ

ଭିତରେ ଥିବା ଦୋଷ ।

କେବଳ ମୋର ହେଉଚି ଭୟ

ହୋଇବ ବେକ ରକା,

କହିବି ନାହିଁ, ହୋଇବି ନାହିଁ

ଉପରମୁହଁଟେକା ।

ବରିହା ଅଜା ପରିବାରଟା

ଚମତ୍‌କାର ଭଲ

ନାମଟା ଶୁଣି ଲାଗୁଚି ଲୋଭ-

ରଣଜିତ୍‌ସିଂ ଲାଲ ।

ଏତିକି ଖାଲି ଖଟକା ଲାଗେ,

କାନରେ ଦିଏ ହାତ,

ଭୁବନେଶ୍ୱର ହୋଇବ ଯେବେ

କୁସ୍ତି କସରତ !

କଟକେ ବସା ନ ଥାଇ ମୁହିଁ

ରହିବି କାହା ଘରେ,

ବରିହା ପିଲା ହୋଇବି ନାଇଁ

କେବଳ ଏଇ ଡରେ !

ଏ ସବୁ ଛାଡ଼ି ମିଶ୍ର ଘରେ

ଜନ୍ମ ନେଲେ ଭାଇ,

ମନେ କରୁଚି ହୋଇବ ଭଲ

ସାରା ଦେଶଟା ପାଇଁ ।

ସ୍ୱାସ୍ଥ୍ୟ ଆଉ ଶିକ୍ଷା ଯାହା

ଜୀବନେ ହେବ ଲୋଡ଼ା,

ସେଇଠି, ଶୁଣେ, ମିଳିପାରିବ

ସବୁରୁ ଥୋଡ଼ା ଥୋଡ଼ା ।

ଏତିକି ଖାଲି ଭାଳଇ ମନେ -

ହୋଇବ ଯେବେ ରୋଗ,

ପାଇପାରିବି ନାହିଁ ମୁଁ ବସି

ଘୋଟା-ବିଜୟା-ଯୋଗ !

ବିଚାରେ ତେଣୁ, ଯେଉଁ ଗାଆଁରେ

ଏଇ ଜନମେ ରହି,

ସାଙ୍ଗ ସାଥୀ ଦୁଃଖ ସୁଖେ

ଜୀବନ ଗଲା ପାଇ,

ଯେଉଁ ଗାଆଁର ପାଣି-ପବନ

ଅଙ୍ଗେ ଦେଲା ବଳ,

ଯା ଭୂଇଁ ତଳ ଧୂଳିରେ ରଚି

ଥିଲି ମୁଁ ଖେଳଘର,

ଯେଉଁ ବକୁଳ ମୂଳରେ ବସି

ରଚିଲି ଫୁଲମାଳା,

ଯେଉଁ ନିର୍ଜନ କୁଟୀର କୋଳେ

ଢାଳିଚି ଲୁହ ଧାରା,

ଆପଣା ସଖା ବନ୍ଧୁ ବୋଲି

ଯାହାରେ ଅଛି ଡାକି,

ସେ ଭୂଇଁ ସେବା କରିବାକୁ ତ

ରହିଚି ବହୁ ବାକି ।

ସେଇଠି ‘ନିଆଖୁଣ୍ଟା’ ହେବ

ସେଇ ଥାନରେ ଲେଖା ।

 

ଜରୁରୀ ପରିସ୍ଥିତି

 

ଜରୁରୀ ପରିସ୍ଥିତି ଦେଇଚି ଦେଖା ଏଥି

ଜାଣ କି ସହି,

ବିଲକୁ ଚାହିଁ ଚଷା ଗାଲରେ ହାତ ଦେଇ

ବସିଚ ଚାହିଁ ।

ସେ ଦିଲ୍ଲୀ - ସିଂହାସନେ ରାଜାଜୀ ବସି ତେଣେ

ଦିଅନ୍ତି ଡାକ -

ବିପଦ ଆସେ, କର ମାଣ୍ତିଆ, ମକା, ଯବ

ଦେଶଟାଯାକ ।

ବସି ଶ୍ରେକ୍ଷେତ୍ର-ବାସେ ଜନାବ ଆସଫ୍‌ସେ

ଡାକନ୍ତି ଆଜି-

ଯିବ ବା ଯହିଁ ଅଛ କଦଳୀ କର ଚାଷ,

ଲଗାଅ ମଞ୍ଜି ।

ଶ୍ରୀ କାନଗୋଇ ଥାଇ କହନ୍ତି - ଦେଶଭାଇ

କଦଳୀ ଖାଅ,

ବାରଣ୍ତା ଘର ଛାଡ଼ି ବୁଣ ହେ ମୁଗ, ବିରି,

ଯେଉଁଠି ପାଅ ।

 

 

 

 

ଜରୁରୀ ପରିସ୍ଥିତି ଦେଇଚି ଦେଖା ଏଥି,

ମୋଟର ଚାଲେ

ଦରମାଠାରୁ ବେଶି ଟି. ଏ.ଟା ହେଲା ଆସି

ଏ କଳିକାଳେ ।

କହଇ ‘ବନମାଳୀ’ ‘ବନା’ ମୁଁ ଥିଲି କାଲି

ବଦଳିଗଲି

ଜରୁରୀ ପରିସ୍ଥିତି ଘଟାଇ ଦେଲା ମୋତେ

ପଦଳୀ କରି ।

ଜରୁରୀ ପରିସ୍ଥିତି ଦେଶରେ ଅଛି ନିତି,

ନାରଣା କହେ,

କୁଟୀର ଘର ମୋର ‘ସିମେଣ୍ଟେ’ ଭରପୂର

ଆପଣାଛାଏଁ ।

ଦେଶଟା ଥାଇ ଅଜ୍ଞ ହେଲି ମୁଁ ‘ବିଶେଷଜ୍ଞ’

ହଠାତ୍‌କାଲି

‘ବରଜୁ’ ବୁଢ଼ା କହେ ଜରୁରୀ ପରିସ୍ଥିତି

ହେଲାଣି ବୋଲି ।

 

 

 

 

ପୀରତି - ପଥେ ଏବେ ଜରୁରୀ ପରିସ୍ଥିତି

ଦେଇଚି ଦେଖା

ଶ୍ରୀ ମଧୁ ମହାପାତ୍ରେ କରନ୍ତି ଖାଲି ପ୍ରୀତି-

ଚିଟାଉ ଲେଖା ।

କରନ୍ତି କୋଳାଗ୍ରତ। ଗଞ୍ଜାମ କରାପୁଟ

ତେଲଗୁ ଭାଇ

କାକର ପାଣି ବିଲେ ରଇତ ଧାନ ଦେଲେ

ରସିଦ ନାଇଁ ।

ପଡ଼ିଚି ଢିଙ୍କି ଖାଲି ଧାନ ତ ନାଇଁ ବୋଲି

ଜରୁରୀ ବେଳ

ପୂରୁନି ‘ମିଲ୍‌’ ପେଟ ଧାନରେ, କହନ୍ତି ତ

କରୁଣାକର ।

ବିକାଶ ବିଭାଗରେ ଜରୁରୀ ପରିସ୍ଥିତି

ଦେଇଚି ଦେଖା-

ହିରଣ୍ୟ ଗର୍ଭେ ତାର ହେଉଚି କାରବାର

ଟଙ୍କା ଓ ଲେଖା ।

 

 

କମିଟି ବସେ ଏଥି ଚାରି – କି ଛଅ ନିତି

ଗଣିବ କିଏ,

କମଳଯାକ ବାଳ, ମେମ୍ବର ଧନୁର୍ଦ୍ଧର

ଓଡ଼ିଆ ପୁଏ !

ରଇତ ମାଛ ହେଲେ ବିରାଡ଼ି ସଭାପତି,

ମେମ୍ବର ଚିଲ,

ମାସକ ରିପୋର୍ଟକୁ ଛ’ମାସ କାଳ ଗଲା,

ଜରୁରୀ ବେଳ !

ଦେଉଳଠାରୁ ବଳି ହେଲାଣି ମୁଖଶାଳା

ଜରୁରୀ କାଳେ,

କରିବାଠାରୁ ବେଶି ହୋଲାଣି କଥାକୁହା

ଏ ମହୀତଳେ ।

ମରିବାଠାରୁ ବଳି ହେଲାଣି ଆୟୋଜନ

ଜୀବନଲୀଳା,

ସହୀ ଗୋ କହ ମୋତେ କିମିତି ଚଳିବାଟି

ଜରୁରୀ ବେଳା !

***